Below header

ସୁରତରୁ ପ୍ରବାସୀମାନେ କେବଳ ଟ୍ରେନ ଯୋଗେ ଓଡ଼ିଶା ଫେରିପାରିବେ,ଘୋଷଣା କଲେ ରାଜ୍ୟସରକାର

କେନ୍ୟୁଜ୍(ବ୍ୟୁରୋ): ସୁରତରୁ ପ୍ରବାସୀମାନେ କେବଳ ଟ୍ରେନ ଯୋଗେ ଓଡ଼ିଶା ଫେରିବାକୁ ଅନୁମତି ମିଳିବ । ବସ୍‌ରେ ଫେରିବା ବେଳେ ଖାଇବା, ପିଇବା ଓ ଦୁର୍ଘଟଣା ସହ ମହିଳା ଓ ଶିଶୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଗ୍ରୀନ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ ଓ ଜୀବନଜୀବିକା ଓ ପରିବହନକୁ ସ୍ୱାଭାବିକ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ରାଜ୍ୟରେ ଦୈନିକ କରୋନା ଟେଷ୍ଟିଂ ୧୫ ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଦୈନିକ ୩୫ ଶହ କୋଭିଡ୍‌ ଟେଷ୍ଟିଂ କରାଯାଉଛି । ଆଗାମୀ ଦିନରେ ବାରିପଦା, ବାଲେଶ୍ୱର, କୋରାପୁଟ ଓ ବଲାଙ୍ଗିରରେ ମଧ୍ୟ ଟେଷ୍ଟିଂ ସୁବିଧାର ବିକାଶ କରାଯିବ । ଏହାକୁ ଦୈନିକ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ । ସେହିପରି ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଆଦର୍ଶ ନୀତି ପ୍ରଣୟନ କରାଯିବ । ଚାଷୀ ଓ ଏସଏଚଜିଙ୍କ ପାଇଁ ଋଣ ସହାୟତା ମଧ୍ୟ ବୃଦ୍ଧି ହେବ । ମିଶନ ଶକ୍ତି ମା’ମାନେ କଠିନ ପରିସ୍ଥିତିରେ ଏକ କୋଟିରୁ ଅଧିକ ମିଲ ଯୋଗାଇ ସାରିଲେଣି । ସେମାନଙ୍କୁ ମିଲ୍‌ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ । ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ଓ ସଙ୍ଗରୋଧ ବାଧ୍ୟତାମୂଳକ । ଗଞ୍ଜାମ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ଯାଜପୁର ବାଲେଶ୍ୱରରେ ଅଧିକ ସଂଖ୍ୟାରେ ଲୋକ ବାହାର ରାଜ୍ୟରେ କାମ କରୁଥିବା ବେଳେ ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 

ରାଜ୍ୟରେ କରୋନା ସଂକ୍ରମଣ ଜନିତ ପରିସ୍ଥିତି ଅପେକ୍ଷାକୃତ ଭଲ ରହିଛି । ଏ ଦିଗରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ବିଭିନ୍ନ ସରକାରୀ କର୍ମଚାରୀ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହାସଲ ସଫଳତାରେ ଆତ୍ମସନ୍ତୋଷ ଲାଭ ନ କରି ଆଗାମୀ ଦିନରେ ପରିସ୍ଥିତିର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.