Below header

ପରିବା ବିକିଲେ ଚଳିଥାନ୍ତା ଘର, କିନ୍ତୁ ଆଜିର ସକାଳ ସବୁକିଛି କରିଦେଲା ଶେଷ

ସବୁଦିନ ଭଳି ଆଜି ବି ବଡି ଭୋରରୁ ବାହାରିପଡିଥିଲେ ମାଳତୀ । ପରିବା କିଣି ତାକୁ ବିକ୍ରି କରିବେ ଆଉ କାନିରେ ଦୁଇ ପଇସା ବାନ୍ଧି ଘରକୁ ଯିବେ । କିନ୍ତୁ ସୋମବାର ସକାଳ ମାଳତୀଙ୍କ ପାଇଁ ସାଜିଲା କାଳଦିନ ।

ବ୍ରହ୍ମପୁର (କେନ୍ୟୁଜ) : ପରିବା ଆଣିଲେ ଲୋକଙ୍କୁ ବିକ୍ରି କରିଥାନ୍ତେ । ପରିବା ବିକି କଣ ଦୁଇ ପଇସା କରିଥାନ୍ତେ । ସବୁଦିନ ଭଳି ଆଜି ବି ବଡି ଭୋରରୁ ବାହାରିପଡିଥିଲେ ମାଳତୀ । ପରିବା କିଣି ତାକୁ ବିକ୍ରି କରିବେ ଆଉ କାନିରେ ଦୁଇ ପଇସା ବାନ୍ଧି ଘରକୁ ଯିବେ । କିନ୍ତୁ ସୋମବାର ସକାଳ ମାଳତୀଙ୍କ ପାଇଁ ସାଜିଲା କାଳଦିନ ।

ପରିବା ବଜାରରେ ଚଳପ୍ରଚଳ କରୁଥାନ୍ତି ଲୋକେ । ସକାଳୁ ସକାଳୁ ସତେଜ ପରିବା ନେବାକୁ ଲୋକେ ଲଗାଇଥାନ୍ତି ଭିଡ । ମାଳତୀ ବି ଆସିଲେ । ସବୁ ଯିଏ ଯୁଆଡେ ନିଜ କାମରେ ବ୍ୟସ୍ତ । ଏହି ସମୟରେ ମାଳତୀ ବି ପରିବା ନେବାକୁ ରାସ୍ତାରୁ ସେପାର୍ଶ୍ୱରୁ ଏ ପାର୍ଶ୍ୱକୁ ଯାଉଥିଲେ । କିନ୍ତୁ କେଉଁଠି କେଜାଣି ଥିଲା ଯମ ରୂପେ ଆସି ମାଡିଦେଇ ଚାଲିଗଲା ଏକ ମାଛ ବୋଝେଇ ଭ୍ୟାନ୍‌ । ଆଉ ମାଳତୀଙ୍କ ପ୍ରାଣବାୟୁ ଉଡିଗଲା ସେଇଠାରେ।

ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ଚିକରଡା ଗ୍ରାମର ମାଳତୀ ବେହେରା । ପ୍ରତିଦିନ ସକାଳ ଭଳି ଆଜି ମଧ୍ୟ ରଣ୍ଢା ପରିବା ବଜାରରୁ ପରିବା ନେଇ ବ୍ରହ୍ମପୁରରେ ବିକ୍ରି କରିବା ପାଇଁ ପରିବା କିଣିବାକୁ ଆସିଥିଲେ ମାଳତୀ । ଆଉ ଏହି ସମୟରେ ରାସ୍ତା ପାରି ହେଉଥିବା ବେଳେ ଇଚ୍ଛାପୁରରୁ ବ୍ରହ୍ମପୁର ପଟେ ଯାଉଥିବା ଗୋଟେ ମାଛ ବୋଝେଇ ପିକ୍ଆପ ଭ୍ୟାନ ମାଳତୀଙ୍କୁ ଧକ୍କା ଦେଇଥିଲା ।

ଫଳରେ ମାଳତୀ ଛିଟିକି ପଡ଼ିଥିଲେ କିଛି ବାଟ । ଆଉ ସେଇଠାରେ ହିଁ ସବୁଦିନ ପାଇଁ ଆଖି ବୁଜିଦେଲେ । ତେବେ ଏହି ଘଟଣା ପରେ ସେଠାକାର ସ୍ଥିତି ଏକଦମ୍‌ ସଙ୍ଗୀନ ହୋଇପଡିଥିଲା । ମାଳତୀଙ୍କର ସଡକ ଦୁର୍ଘଟଣା ହୋଇଥିବା ଜାଣି ଚିକରଡା ଗ୍ରାମବାସୀ ଆସି ପହଁଚିଗଲେ ସେଠାରେ । ନିଜର ଅତିପ୍ରିୟ ମାଳତୀଙ୍କୁ ଧରି ବହୁତ ସମୟ କାନ୍ଦିଥିଲେ । ଆଉ ମାଳତୀଙ୍କର ଏପରି ଅକସ୍ମାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ ନକରିପାରି କିଛି ସମୟ ପାଇଁ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଦେଲେ ।

ବେଶ୍‌ କିଛି ସମୟ ପାଇଁ ସେଠାରେ ପାଣିତୁଣ୍ଡ ହୋହାଲ୍ଲା ଲାଗି ରହିଲା । ଲୋକମାନେ ମାଳତୀଙ୍କୁ ଦେଖିବା ପାଇଁ ରୁଣ୍ଡ ହୋଇଯାଉଥାନ୍ତି । କିଏ ନିଜ ମୋବାଇଲରେ ଫଟୋ ଉଠାଇନେଉଥାଏ ତ କିଏ ଆଃ ଆଃ ଚୁ ଚୁ କହୁଥାନ୍ତି । ପୁଣି ଆଉ କିଏ ମାଛ ବୋଛେଇ ଭ୍ୟାନର ଡ୍ରାଇଭରକୁ ଗାଳି କରୁଥାନ୍ତି । ତେବେ ଏସବୁ ଭିତରେ ଘଟଣାସ୍ଥଳରେ ଆସି ପହଁଚତଲେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ । ସେଠାେରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ । ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇ ଦୁର୍ଘଟଣା ଘଟେଇଥିବା ପିକ୍ଆପ ଭ୍ୟାନ କୁ ଜବତ କରିଛି ଗୋଳନ୍ଥରା ପୋଲିସ ।ମାଳତୀ ସିନା ଚାଲିଗଲେ କିନ୍ତୁ ସବୁଦିନ ପାଇଁ ତାଙ୍କୁ ଝୁରିହେବେ ମାଳତୀଙ୍କ ଠାରୁ ପରିବା ନେଉଥିବା ଲୋକେ ଆଉ ମାଳତୀ ବିକ୍ରି କରୁଥିବା ସେହି ପରିବା ବଜାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.