Below header

ଦ୍ଵିତୀୟ ଯାଏଁ ପଢିବି ଭଗବାନଙ୍କ ଆଦେଶରେ ଲେଖିଯାଉଛନ୍ତି ବହି, ବଣମଲ୍ଲି ଭଳି ହଜିଯିବ କି ପ୍ରତିଭା !

ଟିକିଏ ସମୟ ପାଇଲେ ଲେଖି ଯାନ୍ତି । କଣ ଲେଖି ପକାନ୍ତି ସେ ଜାଣନ୍ତି ନାହିଁ କାରଣ ସେ ପାଠ ପଢିନାହାନ୍ତି । ଦ୍ଵିତୀୟ ଶ୍ରେଣୀରୁ ବନ୍ଦ ହୋଇଯାଇଥିଲା ପାଠପଢା । ମାତ୍ର 8 ବର୍ଷ ବୟସରେ ମା ଛାଡି ଆରପାରିକୁ ଚାଲିଯାଇଥିଲେ ଆଉ ତାପରେ ସଂସାର ଜାଲରେ ବନ୍ଦୀ ହୋଇଯାଇଥିଲେ ଲାବଣ୍ୟବତୀ । କିନ୍ତୁ ଭଗବାନଙ୍କ ଲୀଳା ବଡ଼ ବିଚିତ୍ର । କାହାକୁ କେତେବେଳେ କେଉଁ ଶକ୍ତି ଦିଅନ୍ତି ତାହା କେବଳ ସେଇ ଲୀଳାମୟ ଙ୍କୁ ହିଁ ଜଣା ।

କଥାରେ ଅଛି ଭଗବାନ ଙ୍କ କୃପା ବୃଷ୍ଟି ହେଲେ ମୁକ ମଧ୍ୟ ସୁନ୍ଦର କବିତା ଗାଇ ପାରିବ । ଏହି ଯେଉଁ ବହିସବୁ ଦେଖୁଛନ୍ତି ସେ ସବୁକୁ ଲେଖିଛନ୍ତି ଏହି ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ମହିଳା । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଘଷିପୁରା ଗାଁର ଲାବଣ୍ୟବତୀ ସାହୁଙ୍କ ବିଷୟରେ । ଯାହାଙ୍କ ପାଖରେ ଦେଖିବାକୁ ମିଳିଛି ଐଶ୍ୱରୀୟ ଶକ୍ତିର ପରାକାଷ୍ଠା । ମହିଳା ଜଣକ ବୟସର ଅପରାହ୍ନରେ ପହଞ୍ଚି ଥିଲେ ମଧ୍ୟ ନିଜର ଭଲପାଇବା ଗୁଣ ଯୋଗୁଁ ସମସ୍ତଙ୍କୁ ନିଜର କରିଥାନ୍ତି। ସବୁଠାରୁ ବଡ଼ କଥା ହେଲା ସେ ଦ୍ୱିତୀୟ ଶ୍ରେଣୀ ଯାଏଁ ପାଠ ପଢିଥିଲେ ମଧ୍ୟ ଅନର୍ଗଳ କବିତା ଆବୃତି କରନ୍ତି ଏବଂ ଦେଶର ସ୍ଥିତି ପରିସ୍ଥିତି ଯାହା ତାଙ୍କ ଆଖିରେ ପଡ଼େ ନିମିଷକ ମଧ୍ୟରେ ସେ ବିଷୟରେ ସୁନ୍ଦର କବିତା ଲେଖି ଦିଅନ୍ତି ।

ଲାବଣ୍ୟବତୀ କୁହନ୍ତି ଯେ ସ୍ୱପ୍ନରେ ସେ ଜଗନ୍ନାଥ ଦାସଙ୍କୁ ନିଜର ଗୁରୁ କରିବା ପରେ ଆପେଆପେ ସେ ଲେଖିଯାଆନ୍ତି । ନିଜ ଜୀବନ କାହାଣୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ଘଟଣା ଉପରେ ପ୍ରାୟ ହଜାର ହଜାର କବିତା ସେ ଲେଖିଛନ୍ତି । ତାଙ୍କ ଲେଖା ର ଦୁଇଟି ବହି ମୁଦ୍ରଣ ହେବା ସହିତ ଏବେ ଆଉ ଗୋଟିଏ ବହି ମୁଦ୍ରଣ ପାଇଁ ମଧ୍ୟ ଦିଆ ଯାଇଛି। ତେବେ ଏତେ ଗୁଣ ସମ୍ପର୍ଣ୍ଣ ହୋଇ ମଧ୍ୟ ବଣ ମଲ୍ଲି ବଣରେ ଝଡ଼ିବାକୁ ବସିଛି । ଯଦି ଲୋକମାନଙ୍କର ଦ୍ରୁଷ୍ଟି ତାଙ୍କ ଉପରେ ପଡ଼ନ୍ତା ତେବେ ଅନ୍ୟ କବି ମାନଙ୍କ ଭଳି ଲାବଣ୍ୟବତୀ ମଧ୍ୟ ବହୁତ ଆଗକୁ ଯାଇପାରନ୍ତେ । ଅନେକ ସମୟରେ ଦେଖିବାକୁ ମିଳେ ପ୍ରଚାର ପ୍ରସାର ସାହାଯ୍ୟରେ ଅନେକ ବଣମଲ୍ଲି ସମାଜରେ ନିଜର ଗୁଣ ଦ୍ୱାରା ପ୍ରଶଂସିତ ହୋଇଥାନ୍ତି ସେହିଭଳି ଏହି ଅପାଠୁଆ କବୟତ୍ରୀଙ୍କ କବିତା ଚାରିଆଡେ ପ୍ରସାରିତ ହେଉ ଏହାହିଁ ଆମର କାମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.