Below header

ଏମିତି ବି ଆସେ ଦୁଃଖ: ଦାଦନ ଖଟିବାକୁ ଯାଇ ସୁରତରେ ଦୁଇ ଗୋଡ ହରାଇଲେ ଯୁବକ

ଯାଜପୁର : ଦୁଃଖ ଏମିତି ବି ଆସେ । ଘରର ପୁଅ ଦାଦନ ଖଟିବାକୁ ଯାଇଥିଲା ସୁଦୂର ସୂରତ । ସେଠାରେ ଏକ ଦୁର୍ଘଟଣାରେ ଦୁଇ ଗୋଡ ହରାଇଲା । ରୋଜଗାରିଆ ପୁଅର ଏଭଳି ଅବସ୍ଥା ହୋଇଥିବା ଖବର ପାଇ ପରିବାର ଲୋକେ ଦେଖିବାକୁ ବ୍ୟାକୁଳ । ଏପଟେ ଲକଡାଉନ ବଢାଇଛି ସମସ୍ୟା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ଗ୍ରାମରେ। ଗାଁର ଅରଣ୍ୟ ଗୁଇଁଙ୍କ ବଡପୁଅ ସୁଦର୍ଶନ ଗୁଇଁ । ପରିବାର ପ୍ରତିପୋଷଣ ପାଇଁ ଦେଢ ବର୍ଷ ହେଲା ଗୁଜୁରାଟର ସୁରତ ସହରକୁ ଯାଇ ସେଠାରେ ଏକ ଲୁଗା କଳରେ କାମ କରୁଥିଲେ । ମହାମାରୀ କରୋନାରେ ଦେଶ ବ୍ୟାପି ଲକ ଡାଉନ ଚାଲିଥିବା ବେଳେ ସେ ଘରକୁ ନଆସି ସେଠାରେ ରହିଯାଇଥିଲେ । ପରବର୍ତି ସମୟରେ ଲୁଗାକଳରେ କାମ ଆରମ୍ଭ ହେବା ପରେ ସେ ନିଜ କାମରେ ଯୋଗ ଦେଇଥିଲେ ।

ପ୍ରତ୍ୟେକ ଦିନ ପରି ଗତ ୨୮ ତାରିଖରେ ସେ କାମ ସାରି ନିଜ ବସାକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ କିଛି ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ । ଏହି ଦୁର୍ଘଟଣାରେ ତାଙ୍କ ୨ଟି ଗୋଡରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ବାଧ୍ୟ ହୋଇ ସୁଦର୍ଶନଙ୍କ ୨ଟି ଗୋଡକୁ କାଟି ଦେଇଥିଲେ । ନିଜର ଗୋଡ ଦୁଇଟି ହରାଇ ସେଠାରେ ଅସହାୟ ଅବସ୍ଥା ପଡି ରହିଛନ୍ତି ସୁଦର୍ଶନ। ଶୀଘ୍ର ଘରକୁ ଫେରାଇ ଆଣିବା ଲାଗି ନିଜ ବାପା ଓ ମାଙ୍କୁ ଫୋନ ଯୋଗେ
କହିଛନ୍ତି ।

accidentଅପରପଟେ ଅରଣ୍ୟ ବିଭିନ୍ନ ଛକ ବଜାରରେ ସୋଲା ମଟର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । ତାଙ୍କର ସ୍ୱଳ୍ପ ରୋଜଗାରରେ ୬ପ୍ରାଣୀ କୁଟୁମ୍ବ ଚଳିବା ଅସମ୍ଭବ । ବାପାଙ୍କ ଦୁଃଖ ସହିନପାରି ବଡପୁଅ ସୁଦର୍ଶନ ରୋଜଗାର କରିବାକୁ ଯାଇଥିଲେ । ସେଠାରୁ ପାଉଥିବା ଅର୍ଥରୁ ନିଜେ ଚଳିବା ସହ ପରିବାର ଚଳିବା ପାଇଁ ମାସକୁ ଟଙ୍କା ପଠାଇଥାନ୍ତି । ତେବେ ପରିବାର ଲୋକେ ପୁଅର ଦୁର୍ଘଟଣା ଖବର ବହୁ ବିଳମ୍ବରେ ପାଇଥିଲେ । ଯାହାକୁ ନେଇ ପରିବାର ଲୋକେ ଏବେ ଭାଙ୍ଗି ପଡିଛନ୍ତି । ଏହି ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସୁଦୁର ସୁରତରୁ ପୁଅକୁ ଘରକୁ ଆଣିବାକୁ ସକ୍ଷମ ହୋଇପାରୁ ନାହାନ୍ତି ।

ତେବେ  ଖବର ପାଇବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ପରିବାରକୁ ସହାୟତା କରିବା ଲାଗି
ଯାଜପୁର ଏଡିଏମ ଅକ୍ଷୟ କୁମାର ମଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା କୁମାରୀ ସ୍ଥିତ ତାଙ୍କ ଘରେ ପହଁଚି ସମବେଦନ ଜଣାଇବା ସହିତ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ସୁଦର୍ଶନକୁ କିଭଳି ସୁରତରୁ ଫେରାଇ ଅଣାଯାଇ ପାରିବ ସେଥିଲାଗି ବ୍ୟବସ୍ଥା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.