Below header

ଘର ମାଲିକ ଓ ଭଡ଼ାଟିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆସୁଛି ନୂଆ ନିୟମ, ଘର ମାଲିକ ଦୁଇ ମାସରୁ ଅଧିକ ସିକ୍ୟୁରିଟି ଡିପୋଜିଟ ନେଇ ପାରିବେ ନାହିଁ

ମୋଦି ସରକାରଙ୍କ ଦ୍ୱାରା ଦେଶରେ ଲାଗୁ ହେବାକୁ ଯାଉଛି ଏକ ନୂଆ ନିୟମ ଯାହା ଫଳରେ ଘର ଏବଂ ଦୋକାନ ଭଡାରେ ଦେବା ଆହୁରି ସହଜ ହୋଇଯିବ। ସିଏନ୍‌ବିସିର ସୂଚନା ଅନୁଯାୟୀ ମଡେଲ୍‌ ଟେନାଣ୍ଟ ଆକ୍ଟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବା ପାଇଁ ମନ୍ତ୍ରିମଣ୍ଡଳରେ ଦୁଇଥର ଆଲୋଚନା ହୋଇସାରିଛି । ସରକାର ଏହି ନୂଆ ନିୟମକୁ ଆସନ୍ତା ଅଗଷ୍ଟ ମାସଠାରୁ ଦେଶରେ ପ୍ରଚଳନ କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ନେଇଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଭାଷଣରେ କହିଛନ୍ତି କି ସରକାର ରେଣ୍ଟାଲ ହାଉସିଂ ବିଷୟରେ ଆଦର୍ଶ ଭଡା ନିୟମ ଆଣୁଛନ୍ତି । ରେଣ୍ଟାଲ ହାଉସିଂ ସହ ଜଡିତ ଥିବା ଆଇନ ବହୁତ ପୁରୁଣା ହୋଇଗଲାଣି । ଏହା ବର୍ତ୍ତମାନର ଘରମାଲିକ ଏବଂ ଭଡାଟିଆଙ୍କ ଅସୁବିଧା ଦୂର କରିବା ପାଇଁ ଅସମର୍ଥ । ଘରମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ ଥିବା ଆର୍ଥିକ ସମ୍ପର୍କ ଏବଂ ଅଧିକାରକୁ ନୂଆ ସଂଜ୍ଞା ଦିଆଯିବା ପାଇଁ ଏହି ନିୟମ ପ୍ରଣୟନ କରାଯାଉଛି ।

TENANT-2

ନୂଆ ନିୟମରେ କଣ ଅଛି ଖାସ୍‌

୧-ନୂଆ ନିୟମ ଅନୁସାରେ ଘର ମାଲିକ ଭଡ଼ିଟିଆଙ୍କ ଠାରୁ ଦୁଇ ମାସରୁ ଅଧିକ ସିକ୍ୟୁରିଟି ଡିପୋଜିଟ ନେଇପାରିବେ ନାହିଁ ।
୨-ଘର ଖାଲି କରିବାର ଏକ ମାସ ମଧ୍ୟରେ ସିକ୍ୟୁରିଟି ଫେରାଇବାକୁ ପଡିବ ।
୩-ଘର ମାଲିକ ଭଡ଼ାଟିଆ ସହ ଚୁକ୍ତିକୁ ନବୀକରଣ କରିବା ପରେ ଘରଭଡା ବୃଦ୍ଧି କରି ପାରିବେ।
୪-ଭଡ଼ା ବଢ଼ାଇବାର ତିନି ମାସ ପୂର୍ବରୁ ଏ ସମ୍ପର୍କରେ ଭଡ଼ାଟିଆଙ୍କୁ ନୋଟିସ୍‌ ଦେବେ ।
୫-ପ୍ରତ୍ୟେକ ଜିଲ୍ଲାରେ ଏକ ରେଣ୍ଟ ଅଥରିଟି କାର୍ଯ୍ୟାଳୟ ଖୋଲାଯିବ। ଜିଲ୍ଲାପାଳ ଏହାର ମୁଖ୍ୟ ରହିବେ ।
୬-ଯଦି ଭଡ଼ାଟିଆ ଚୁକ୍ତି ଠାରୁ ଅଧିକ ଦିନ ରହିଲେ ତେବେ ତାଙ୍କୁ ଜରିମନା ଦେବାକୁ ହେବ । ପ୍ରଥମେ ଭଡ଼ାର ଦୁଇ ଗୁଣ ଓ ପରେ ଚାରିଗୁଣ ପର୍ଯ୍ୟନ୍ତ ଭଡ଼ା ଦେବାକୁ ହେବ ।
୭-ଉଭୟ ଘର ମାଲିକ ଓ ଭଡ଼ାଟିଆଙ୍କୁ ସେମାନଙ୍କ ଚୁକ୍ତିର ଗୋଟିଏ ଲେଖାଏଁ କପି ରେଣ୍ଟ ଅଥରିଟି ପାଖରେ ଜମା କରିବାକୁ ପଡ଼ିବ ।
୮-ଘର ମାଲିକ ଓ ଭଡ଼ାଟିଆଙ୍କ ଅନୁରୋଧରେ ରେଣ୍ଟ ଅଥରିଟି ଭଡ଼ାରେ ସଂଶୋଧନ କରି ପାରିବେ ।

TENANT-3
୯- ଯଦି ଘରର ହୋଇଥିବା କୌଣସି ମରାମତି ପାଇଁ ଭଡ଼ାଟିଆ ରାଜି ନହୁଅନ୍ତି ତେବେ ଘର ମାଲିକ ଏହାର ମରାମତି କରି ତାଙ୍କ ସିକ୍ୟୁରିଟି ଡିପୋଜିଟ୍‌ରୁ ଟଙ୍କା କାଟି ନେଇ ପାରିବେ ।
୧୦-ତେବେ କୌଣସି ମରାମତି କିମ୍ବା ଅନ୍ୟ କାର୍ଯ୍ୟ ପାଇଁ ଘର ମାଲିକଙ୍କୁ ଭଡ଼ା ଘରେ ପ୍ରବେଶ କରିବା ଲାଗି ୨୪ ଘଣ୍ଟା ପୂର୍ବରୁ ନୋଟିସ୍‌ ଦେବାକୁ ପଡ଼ିବ ।
୧୧-ଭଡ଼ାଟିଆ ସହିତ କୌଣସି ବିବାଦକୁ ନେଇ ଘର ମାଲିକ ବିଜୁଳି ଓ ପାଣି ସଂଯୋଗ କାଟି ପାରିବେ ନାହିଁ । ଏଭଳି କଲେ ରେଣ୍ଟ ଅଥରିଟି ତାଙ୍କ ଠାରୁ ବଡ଼ ପରିମାଣରେ ଜରିମନା ଆଦାୟ କରିବେ ।
୧୨-ଭଡ଼ାଟିଆମାନେ ଭଡ଼ା ଘରକୁ ଆଉ କାହାକୁ ଭଡ଼ାରେ ଦେଇ ପାରିବେ ନାହିଁ ।
୧୩-ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ କୌଣସି ବିବାଦୀୟ ପରିସ୍ଥିତି ଉପୁଜିଲେ ଏହାର ସମାଧାନ ପାଇଁ କୋର୍ଟ ବଦଳରେ ସ୍ପେସିଆଲ ଫେୟାର ଟ୍ରିବ୍ୟୁନାଲ ତିଆରି କରାଯିବ।

ଏହି ନିୟମ ଯୋଗୁଁ ଘରମାଲିକମାନେ ମନ ଇଚ୍ଛା ଭଡ଼ା ବଢାଇ ପାରିବେ ନାହିଁ । ଭଡାରେ ରହୁଥିବା ଲୋକମାନଙ୍କର ଅନ୍ୟ ସବୁ ଅସୁବିଧାକୁ ଦୂର କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ଆଇନ ଦ୍ୱାରା ଘରମାଲିକଙ୍କ ଅଧିକାରକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଭାଷଣରେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.