ନୂଆଦିଲ୍ଲୀ(କେନ୍ୟୁଜ୍): ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍ । କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ବିଲକୁ ଆଗତ କରିଥିଲେ। ବିଲ୍ ଆଗତକୁ ବିରୋଧ କରିଛନ୍ତି କଂଗ୍ରେସ ସମେତି ବିଭିନ୍ନ ବିରୋଧୀ ଦଳ। ସଂଶୋଧିତ ବିଲକୁ ସମସ୍ତେ ସମର୍ଥନ କରିଥିବା ବେଳେ ଆଗତ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଅଭିଯୋଗ ହୋଇଛି, ରାଜ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବିବାଦ ଲାଗି ରହୁଛି। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ସଂଶୋଧିତ ବିଲ୍ ଆଣିଥିବା ବେଳେ ରାଜ୍ୟଗୁଡ଼ିକ ସହ ଆଲୋଚନା କରିଛନ୍ତି କି ନାହିଁ ତାହା ଉଲ୍ଲେଖ ନାହିଁ। ୨୦୧୭ରେ କେନ୍ଦ୍ର ସରକାର ଏହି ସଂଶୋଧିତ ବିଲ୍ ଆଣିଥିଲେ। ବର୍ତ୍ତମାନ ଏଥିରେ ବିନା ପରିବର୍ତ୍ତନରେ ଏହାକୁ ଆଗତ କରାଯାଇଥିବାରୁ ବିରୋଧୀ ବିରୋଧ କରିଛନ୍ତି।
ସେପଟେ ସ୍ପଷ୍ଟୀକରଣରେ ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ କହିଛନ୍ତି, ପୂର୍ବରୁ ଜଳ ବିବାଦ ସମାଧାନ ପାଇଁ ଅନେକ ଟ୍ରିବ୍ୟୁନାଲ୍ କାମ କରିଛି। ସଂଶୋଧିତ ବିଧେୟକରେ ରହିଛି ଏକକ ଟ୍ରିବ୍ୟୁନାଲ୍ ବ୍ୟବସ୍ଥା। ପୂର୍ବରୁ ଗଠିତ ଟ୍ରିବ୍ୟୁନାଲଙ୍କର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିବା ବେଳେ ସଂଶୋଧିତ ବିଲରେ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହାସହ ଆନ୍ତଃରାଜ୍ୟ ନଦୀ ଜଳ ବିବାଦର ତ୍ୱରିତ ଓ ନ୍ୟାୟିକ ସମାଧାନ ପ୍ରକ୍ରିୟା ଅଧିକ ସରଳ ହୋଇ ପାରିବ। ୨୦୧୩ରେ ସଂଶୋଧିତ ପ୍ରସ୍ତାବ ଅନୁସାରେ ୨୦୧୭ରେ କେନ୍ଦ୍ର ସରକାର ସଂଶୋଧିତ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍ ପ୍ରସ୍ତୁତ କରିଥିଲେ ବୋଲି ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ।
ସଂଶୋଧିତ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍କୁ ସ୍ୱାଗତ କରିଛି ବିଜେଡି :
ଅନ୍ଯପଟେ ସଂଶୋଧିତ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍କୁ ସ୍ୱାଗତ କରିଛି ବିଜେଡି। ତେବେ ଏହାର ଆଗତ ପ୍ରସ୍ତାବକୁ ଦଳ ବିରୋଧ କରିଛି। ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ବିଲ୍ ଆଗତ ପୂର୍ବରୁ ରାଜ୍ୟଗୁଡ଼ିକ ସହ କେନ୍ଦ୍ର ସରକାର ଆଲୋଚନା କରିଛନ୍ତି କି ନାହିଁ ବିଲରେ କୌଣସି ସୂଚନା ନାହିଁ। ୨୦୧୭ରେ ଆଣିଥିବା ବିଲରେ କୌଣସି ପରିବର୍ତ୍ତନ ନକରି ପୁଣି ଥରେ ଏହାକୁ ଲୋକସଭାରେ ଆଗତ କରାଯାଇଛି ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ।