ଯାଜପୁର(କେନ୍ୟୁଜ୍): ଯୁବକଙ୍କୁ ଟ୍ରକ ଚଢାଇ ହତ୍ୟା ଅଭିଯୋଗ ଘଟଣାରେ ହତ୍ୟାକାରୀକୁ ତୁରନ୍ତ ଗିରଫ ଓ ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ଦାବିରେ ୫୩ନଂ ଜାତୀୟ ରାଜପଥ ଅବରୋଧ। ରବିବାର ଯାଜପୁର ଜିଲ୍ଲା ଜେନାପୁର ଥାନା ତଳଗଡ଼ ପଥୁରିଆସାହିର ପ୍ରଦୀପ କୁମାର ମଳିକଙ୍କୁ ଟ୍ରକ ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ମୃତ ପ୍ରଦୀପଙ୍କ ପତ୍ନୀ ତାଙ୍କ ସ୍ୱାମୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ଆଜି ମୃତଦେହ ବ୍ୟବଛେଦ ହୋଇ ଆସିବା ପରେ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥର ବଳରାମପୁର ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଅଟକି ରହିଛି। ଖବର ପାଇ ଘଟଣା ସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଏସପି ରାଜ କିଶୋର ଦୋରା, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ତେବେ ହତ୍ୟାକାରୀକୁ ଗିରଫ ସହ ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଲୋକେ ଜିଦ ଧରି ବସିରହିଛନ୍ତି।