ଭୁବନେଶ୍ୱର (କେ ନ୍ୟୁଜ୍) : ରାଜ୍ୟରେ ୬୦ ଭାଗରୁ ଅଧିକ ଜନସାଧାରଣ କୃଷି ଉପରେ ନିର୍ଭର କରନ୍ତି । ତେଣୁ ସରକାର କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି । ତେବେ ସାମାଜିକ ଦୂରତା ରଖି କରାଯିବ । ବୁଣିବା ଠାରୁ ଫସଲ ଅମଳ, ସାର, କୀଟ ନାଶକ ଏବଂ ଚାଷ ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରପାତି ଆଦିର ଦୋକାନ ଖୋଲା ରହିବ । କୃଷିକେନ୍ଦ୍ର, ଗୋଦାମ ଘର ମଧ୍ୟ ଖୋଲା ରହିବ । ଏହି ସୂଚନା ଦେଇଛନ୍ତି ବରିଷ୍ଠ ପ୍ରଶାସକ ସୌରଭ ଗର୍ଗ ।
ଆଜି ରାଜ୍ୟର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗର୍ଗ ସୂଚନା ଦେଇଥିଲେ ଯେ ଚଳିତ ରବି ଋତୁରେ ରାଜ୍ୟରେ ୨୬ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଇଛି । ଏଥିରୁ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଅମଳ ହେବ ବୋଲି ଆଶା କରାଯାଉଛି । ସେହିପରି ଅନ୍ୟ ଖାଦ୍ୟ ଶସ୍ୟର ମଧ୍ୟ ଭଲ ଅମଳ ହେବ । ଚାଷୀମାନଙ୍କୁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ । ତେବେ ଏସବୁ କାମ ପାଇଁ ଚାଷୀ ତଥା ଏହା ସହିତ ସଂପୃକ୍ତ ବ୍ୟକ୍ତିମାନଙ୍କର କୌଣସି ପାସ୍ର ଆବଶ୍ୟକତା ନାହିଁ ବୋଲି ସେ ଜଣାଇଥିଲେ । ଖାଦ୍ୟ ଶସ୍ୟ ନେଇ ଯାଉଥିବା ଗାଡ଼ିକୁ କେହି ଅଟକାଇବେ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି । କୌଣସି ସମସ୍ୟା ଥିଲେ ଟୋଲ୍ ଫ୍ରି ନମ୍ବର ୧୮୦୦୧୦୨୫୧୬୬ରେ ଫୋନ୍ କରିବାକୁ ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି ।