ଭାରତରେ ଏମିତି ଅନେକ ଅଦ୍ଭୁତ ମନ୍ଦିର ରହିଛି, ଯାହା କୌଣସି ନା କୌଣସି କାରଣ ଯୋଗୁଁ ସ୍ୱତନ୍ତ୍ର ହୋଇଥାଏ। ଏହି ଏକ ମନ୍ଦିର ତାମିଲନାଡୁର ଭେଲ୍ଲର ଠାରୁ ସାତ କିଲୋମିଟର ଦୂର ଥିରୁମଲାଇ କୋଡିରେ ରହିଛି। ଯାହା ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ନାମରେ ଜଣାଶୁଣା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ମନ୍ଦିର ୧୫୦୦କିଲୋଗ୍ରାମ ଶୁଦ୍ଧ ସୁନାରେ ତିଆରି ହୋଇଛି। ଏଥିପାଇଁ ଏହାକୁ ଦକ୍ଷିଣ ଭାରତର ‘ସ୍ୱର୍ଣ୍ଣମନ୍ଦିର’ ବା ‘ଗୋଲଡେନ ଟେମ୍ପୁଲ’ କହୁଛନ୍ତି। ଯେପରି ଅମୃତସରର ସ୍ୱର୍ଣ୍ଣ ମନ୍ଦିିର ସଂପୂର୍ଣ୍ଣ ଭାରତ ସହ ବିଶ୍ୱ ପ୍ରସିଦ୍ଧ ସେହିପରି ଏହି ମନ୍ଦିର ମଧ୍ୟ ପ୍ରସିଦ୍ଧ।
ଏହି ମନ୍ଦିର ପାଖାପାଖି ୧୦୦ ଏକର ଜମିରେ ନିର୍ମିତ ହୋଇଛି, ଯାହାକୁ ନିର୍ମାଣ କରିବା ପାଇଁ ସାତ ବର୍ଷ ସମୟ ଲାଗିଥିଲା। ଏହାର ନିର୍ମାଣରେ ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ମନ୍ଦିର ନିର୍ମାଣରେ ଯେତିକି ସୁନା ଲାଗିଛି, ସେତିକି ଦୁନିଆର କୌଣସି ମନ୍ଦିରରରେ ଲାଗିନାହିଁ।
ଏହି ମନ୍ଦିର ଉପରେ ସୂର୍ଯ୍ୟଙ୍କ କିରଣ ପଡିବା ମାତ୍ରେ ଏହା ଚମକି ଉଠିଥାଏ। କିନ୍ତୁ ରାତିରେ ଲାଇଟରେ ସୁନାର ଚମକ ଅଧିକ ଦେଖାଯାଇଥାଏ। ୨୪ ଅଗଷ୍ଟ ୨୦୦୭ରେ ପ୍ରଥମ ଥର ଏହି ମନ୍ଦିର ଦର୍ଶନ ପାଇଁ ଖୋଲାଯାଇଥିଲା।
ମନ୍ଦିର ପରିସରରେ ୨୭ ଫୁଟ ଉଚ୍ଚ ଏକ ଦୀପମାଳା ରହିଥାଏ। ଯାହାକୁ ଜଳାଇବା ପରେ ସୁନାରେ ତିଆରି ଏହି ମନ୍ଦିର ଝଲସି ଉଠିଥାଏ। ମନ୍ଦିର ନିର୍ମାଣ ଏତେ ସୁନା ଲାଗିଥିବା ଯୋଗୁଁ ଏହାର ସୁରକ୍ଷାରେ ୨୪ ଘଣ୍ଟା ପୋଲିସ କର୍ମୀ ନିଯୁକ୍ତି ଥାନ୍ତି।
ଏହି ମନ୍ଦିରର ନିର୍ମାଣ ଭେଲ୍ଲର ସ୍ଥିତ ଧର୍ମାର୍ଥ ଟ୍ରଷ୍ଟ ଶ୍ରୀ ନାରାୟଣ ପୀଡମ ଦ୍ୱାରା କରାଯାଇଛି। ଯାହାର ପ୍ରମୁଖ ଆଧ୍ୟାତ୍ମିକ ନେତା ଶ୍ରୀ ଶକ୍ତି ଅମ୍ମାକୁ ‘ ନାରାୟଣୀ ଅମ୍ମା’ ନାମରେ ଜଣାଶୁଣା। ମନ୍ଦିର ନିକଟରେ ଶ୍ରୀ ନାରାୟଣୀ ହସପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ର ମଧ୍ୟ ରହିଛି। ଯାହାକୁ ଏହି ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ କରାଯାଉଛି।