ଡକାୟତି ଯୋଜନା କରୁଥିବା ବେଳେ ଭୁଲରେ ଡାଏଲ୍‌ ହୋଇଗଲା ପୋଲିସ ନମ୍ବର, ତା’ପରେ ଆଉ ତ୍ରାହି ନାହିଁ

କଥାରେ ଅଛି, ‘ଚୋର ଘର ସବୁବେଳେ ଅନ୍ଧାର ନଥାଏ’। ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଘଟଣା ଘଟିଛି ଷ୍ଟେଫୋର୍ଡଶାୟରଠାରେ। ଏଠାରେ ଦୁଇ ଜଣ ଚୋର ଚୋରି କରିବାକୁ ଯୋଜନା କରୁଥିବା ବେଳେ ଭୁଲରେ ପୋଲିସ କଣ୍ଟ୍ରୋଲ ରୁମ୍‌ର ନମ୍ବର ଡାଏଲ୍‌ କରି ଦେଇଥିଲେ। ଫଳସ୍ୱରୂପ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ବନ୍ଧା ହୋଇ ମାମୁଁ ଘରକୁ ଯାଇଛନ୍ତି।

ପୋଲିସ ରିପୋର୍ଟ ମୁତାବକ, ଦୁଇ ଦିନ ତଳେ ରାତିରେ ଦୁଇ ଅଭିଯୁକ୍ତ ଷ୍ଟକ୍‌ ଅନ୍‌ ଟ୍ରେଣ୍ଟ ଏରିଆର ମିଡିଲପୋର୍ଟସ୍ଥିତ ନିଜ ଆଡ୍ଡାରେ ବସି ଡକାୟତି ଯୋଜନା କରୁଥିଲେ। ଏହି ସମୟରେ ଜଣେ ଚୋର ଭୁଲରେ ଚେୟାର ଉପରେ ଥିବା ମୋବାଇଲ ଉପରେ ବସିପଡ଼ିଥିଲେ। ଫଳସ୍ୱରୂପ ମୋବାଇଲର କେତେକ ସୁଇଚ୍‌ ଚିପି ହୋଇଯାଇଥିଲା। ଦୁର୍ଭାଗ୍ୟବଶତଃ ତାଙ୍କ ଫୋନ୍‌ରୁ ୯୯୯କୁ ଡାଏଲ୍‌ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ୯୯୯ ହେଉଛି ବ୍ରିଟିଶ୍‌ ପୋଲିସ କଣ୍ଟ୍ରୋଲ ରୁମ୍‌ର ନମ୍ବର।

ପରେ କଣ୍ଟ୍ରୋଲ ରୁମ୍‌ର ପୋଲିସ ଚୋରଙ୍କର ସବୁ ଯୋଜନା ଶୁଣିଥିଲେ ଓ ତୁରନ୍ତ ନମ୍ବରର ଲୋକେସନ୍‌ ଟ୍ରାକ୍‌ କରି ତାଙ୍କ ନିକଟରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଚୋରମାନେ ସତରେ ଯୋଜନା କରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଉଭୟଙ୍କୁ ଗିରଫ କରିଥିଲା ପୋଲିସ।

ଏହି ଘଟଣା ବାବଦରେ ବ୍ରିଟିଶ୍‌ ପୋଲିସ ତରଫରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରାଯାଇ ସୂଚନା ଦିଆଯାଇଛି। ଷ୍ଟେଫୋର୍ଡଶାୟର ପୋଲିସର ଚିଫ୍‌ ଇନ୍ସପେକ୍ଟର ଜନ୍‌ ଓବେନ୍‌ ଲେଖିଛନ୍ତି-ମୋତେ ଲାଗୁଛି ଯେ ଆମେ ଦୁନିଆର ସବୁଠୁ ଅନ୍‌ଲକି ଚୋରଙ୍କୁ ଗିରଫ କରିଛୁ।

Leave A Reply

Your email address will not be published.