ମାଆ, ବାପା ଓ ଭାଇ ସମସ୍ତେ ଛାଡ଼ି ଚାଲିଗଲେ: କେତେ ଦୁଃଖ ଆଉ ସହିଥାନ୍ତା ନାବାଳକ ରମେଶ, ଶେଷରେ ଏମିତି ହେଲା ପରିସ୍ଥିତି

କୋରାପୁଟ : କୋରାପୁଟ ଦଶମନ୍ତପୁର ବ୍ଲକ୍‌ ପରଜାବେଡ଼ାପଦର ପଞ୍ଚାୟତର ନୂଆଗୁଡ଼ା ଗାଁ । ଏଇ ଗାଁର ପିଲା ରମେଶ ସାଉଁତା । ତାର ଦୁଃଖ କାହାଣୀ ଜାଣିଲେ ଯେକେହିବି କାନ୍ଦି ପକାଇବ । ଛୋଟିଆ ପିଲାଟି କେମିତି ସହିଥାନ୍ତା ଏତେ ଦୁଃଖ ? ସେଥିଲାଗି ବୋଧହୁଏ ଭାଗବାନ ତାକୁ ଏ ଦଶା ଦେଲେ ! …. ଆସନ୍ତୁ ଜାଣିବା ରମେଶର ଏଭଳି ସ୍ଥିତି ପାଇଁ ଦାୟୀ କିଏ?

ନୂଆଗୁଡା ଗାଁର ରଘୁ ସାଉଁନ୍ତା । ସ୍ତ୍ରୀ ଧାନାଇ ଓ ଦୁଇପୁଅ ଅଭି ଏବଂ ରମେଶ ହସ ଖୁସିରେ ସଂସାର କରିଥିଲେ । ଦିନ ମଜୁରିଆ ଭାବେ କାମକରି ପରିବାରରେ ପୋଷୁଥିଲେ । ତିନି ବର୍ଷ ତଳେ ହଠାତ ଅଜଣା ରୋଗରେ ପଡି ରଘୁଙ୍କର ସ୍ତ୍ରୀ ଆରପାରିକୁ ଚାଲିଗଲେ । ପତ୍ନୀଙ୍କ ମୃତ୍ୟୁ ପରେ ଦୁଇ ପୁଅର ଯତ୍ନ ନେଇ ପାରୁନଥିଲେ ରଘୁ । ଜମିବାଡ଼ି ନାହିଁ କି ଚଳିବାକୁ ଧନ ସମ୍ପତ୍ତି ବି ନଥିଲା । ତେଣୁ ବଡ଼ପୁଅ ଅଭି ବାଧ୍ୟ ହୋଇ ଦାଦନ ଖଟିବାକୁ ହାଇଦ୍ରାବାଦ ଚାଲିଗଲା । ହେଲେ ତା ପରେ ତାର ଆଉ କିଛି ଖୋଜ ଖବର ମିଳିଲା ନାହିଁ। ପ୍ରାୟ ବର୍ଷକ ଯାଏ ଅପେକ୍ଷା ପରେ ବାପା ରଘୁ ନିଜ ଚାଉଳ କାର୍ଡ ବନ୍ଧା ପକାଇ ବଡ ପୁଅ ଅଭିକୁ ଖୋଜିବା ଲାଗି ହାଇଦ୍ରାବାଦ ଚାଲିଗଲେ । ତେବେ ଦୁର୍ଭାଗ୍ୟକୁ ସେ ବି ଆଉ ଫେରିଲେ ନାହିଁ । ଏମିତି ତିନି ବର୍ଷ ବିତିଗଲା ।

ramesh sauntaଏବେ ରମେଶ ନିଜ ବିଧବା ପିଉସୀଙ୍କ ଘରେ ଆଶ୍ରୟ ନେଇଛିି । ସତୁରୀ ବର୍ଷର ପିଉସୀଙ୍କ ବିଧବା ଭତ୍ତା ପାଞ୍ଚଶହ ଟଙ୍କା ଓ ସରକାରଙ୍କ ତରଫରୁ ମିଳୁଥିବା ଚାଉଳରେ ଦୁହେଁ ବଞ୍ଚୁଥିଲେ । ଘରର ପରିସ୍ଥିତି ଦେଖି ରମେଶ ଏକ ହୋଟେଲରେ କାମ କଲା । ହେଲେ ସବୁ ବେଳେ ମନ ତାର ଖୋଜୁଥିଲା ବାପା ଓ ବଡ଼ ଭାଇକୁ । ଏମିତିରେ ମାନସିକ ଭାରସାମ୍ୟ ହରାଇଲା ରମେଶ । ଏକଥା କହିଛନ୍ତି ବିଧବା ପିଉସୀ ଗୁରୁ ମିଣିଆକା ।

ଏଭଳି ପରିସ୍ଥିତିରେ ନୂଆଗୁଡା ଗାଁର ଲୋକମାନେ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି ରମେଶର ଚିକିତ୍ସା ପାଇଁ । ତାର ବାପା ଭାଇଙ୍କୁ ଖୋଜିବା ପାଇଁ । ଏବେ ରମେଶର ବୟସ ମାତ୍ର ୧୫ କି ୧୬ ବର୍ଷ । ଯଦି ସେ ଭଲ ହୋଇ ପାଠ ପଢ଼େ ତାର ଭାଗ୍ୟ ବଦଳିଯିବ ବୋଲି ଲୋକଙ୍କର ବିଶ୍ୱାସ । ହେଲେ କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ… ତେଣୁ ରମେଶର ଭାଗ୍ୟ ବଦଳି ପାରିବ ଯେତେବେଳେ କାହାର ସହାୟତାର ହାତ ବଢ଼ି ଆସିବ ତା’ଆଡ଼କୁ ।

Leave A Reply

Your email address will not be published.