ମାନବିକତା ଆଗରେ ହାର ମାନିଲା ଲୋଭ, ଟଙ୍କା ଓ ମୋବାଇଲା ଥିବା ବ୍ୟାଗକୁ ପାଇ ଫେରାଇଲେ କଳିଙ୍ଗ ଟିଭିର ସିକ୍ୟୁରିଟି ଗାର୍ଡ
କେନ୍ୟୁଜ୍(ବ୍ୟୁରୋ): ମାନବିକତା ଦେଖାଇଲେ ସିକ୍ୟୁରିଟି ଗାର୍ଡ। ସାମନ୍ୟତମ ଲୋଭର ବଶବର୍ତ୍ତୀ ନହୋଇ ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇଲେ କଳିଙ୍ଗ ଟଭି ଅଫିସର ସିକ୍ୟୁରିଟି ଗାର୍ଡ ବଳରାମ ବାରିକ। ସୂଚନା ମୁତାବକ କଲ୍ୟାଣୀ ଦଳବେହେରା ନାମକ ଜଣେ ମହିଳା ସିଆରପି ଛକରୁ ଏନ-୨ ରାସ୍ତା ଦେଇ ଜୟଦେବ ବିହାର ଅଭିମୁଖେ ଯାଉଥିଲେ ।
ଏହି ସମୟରେ କଳିଙ୍ଗ ଟଭିର ଷ୍ଟୁଡ଼ିଓ ନମ୍ବର-୨ ଅଫିସ(କେନ୍ୟୁଜ୍ ଅଫିସ୍) ନିକଟରେ ବ୍ୟାଗଟି ଗଳି ପଡିଥିଲା। କିନ୍ତୁ କଲ୍ୟାଣୀ ମ୍ୟାଡାମ୍ ବ୍ୟାଗଟି ପଡ଼ିଯିବାର ଜାଣି ପାରିନଥିଲେ ଓ ସ୍କୁଟି ନେଇ ଘରେ ପହଞ୍ଚି ଯାଇଥିଲେ। ଘରକୁ ଯାଇ ଦେଖନ୍ତେ ବ୍ୟାଗଟି ସ୍କୁଟିରେ ନାହିଁ। ବ୍ୟାଗ ନଥିବା ଦେଖି କଲ୍ୟାଣି ହଡ଼ବଡ଼େଇ ଯାଇଥିଲେ। କାରଣ ବ୍ୟାଗରେ କିଛି ଟଙ୍କା, ସୁନା ଜିନିଷ, ମୋବାଇଲ ଓ କିଛି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଥିଲା। ଯାହାକୁ ହଜାଇଦେଇଥିବା ଭାବି କଲ୍ୟାଣି ଅଧିର ହୋଇପଡିଥିଲେ ଓ ଏବିଷୟରେ ନିଜ ଶାଶୁଙ୍କୁ କହିଥିଲେ।
ଏପଟେ ସିକ୍ୟୁରିଟି ଗାର୍ଡ କଲ୍ୟାଣୀଙ୍କ ସ୍କୁଟିରୁ ବ୍ୟାଗ ପଡିବାର ଦେଖି କଲ୍ୟାଣୀ ମ୍ୟାଡାମଙ୍କୁ ଡାକ ପକାଇଥିଲେ। କିନ୍ତୁ କଲ୍ୟାଣୀ ମ୍ୟାଡାମ୍ ସିକ୍ୟୁରିଟି ଗାର୍ଡଙ୍କ ଡାକ ଶୁଣିପାରିନଥିଲେ। ଶେଷରେ ବଳରାମ ବ୍ୟାଗଟିକୁ ପାଇ ନିଜ ପାଖରେ ରଖି କେନ୍ୟୁଜରେ କାମ କରୁଥିବା ଅନ୍ୟ କର୍ମଚାରୀଙ୍କୁ ଏବିଷୟରେ ଜଣାଇଥିଲେ । ସେପଟେ ଘରେ ପହଞ୍ଚି ବ୍ୟାଗ୍ ନପାଇବା ପରେ କଲ୍ୟାଣୀ ନିଜ ଶଶୁଙ୍କ ମୋବାଇଲରୁ ନିଜ ଫୋନକୁ ବାରମ୍ବାର ଫୋନ କରିଚାଲିଥିଲେ। ବାରମ୍ବାର ଫୋନ ଆସୁଥିବା ଜାଣି କେନ୍ୟୁଜର କର୍ମଚାରୀ ନାରାୟଣ ମଲ୍ଲିକ ଓ ପଲାସ ସାମଲ କଲ୍ୟାଣୀଙ୍କ ଫୋନ ରିସିଭ୍ କରି ତାଙ୍କୁ ଠିକଣା କହିଥିଲେ ଓ ବ୍ୟାଗଟି ଆସି ନେଇଯିବାକୁ କହିଥିଲେ।
ଏତିକି ଶୁଣିବା ପରେ କଲ୍ୟାଣୀ ଆଶ୍ବସ୍ତୀ ଅନୁଭବ କଲେ । ପରେ ନିଜ ଶାଶୁଙ୍କ ସହ ଆସି ବ୍ୟାଗ ନେବା ସହ ସିକ୍ୟୁରିଟି ଗାର୍ଡଙ୍କ ମାନବିକତା ପାଇଁ ସାଧୁବାଦ ଦେଇଥିଲେ। କେବଳ ସେତିକି ନୁହେଁ କେନ୍ୟୁଜ୍ ଅଫିସ ଆସି ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଦେବା ସହ କୃତଜ୍ଞତା ଜଣାଇ କହିଥିଲେ ବାସ୍ତବରେ ସିକ୍ୟୁରିଟି ଗାର୍ଡଙ୍କ ପାଇଁ ଆଜି ଏକ ବଡ଼ କ୍ଷତି ହେବାରୁ ମୁଁ ବର୍ତ୍ତି ଯାଇଛି। ତେଣୁ ତାଙ୍କ ଉପକାର ମୁଁ କେବେ ଭୁଲିପାରିବି ନାହିଁ।