ଭାରତ ଫେରିବେ ସେରମ୍ ସିଇଓ ଆଦାର ପୁନାୱାଲା, ଟିକାର ଚାହିଦା ପୂରଣ ନେଇ ଧମକ ପରେ ଲଣ୍ଡନ ଚାଲିଯାଇଥିଲେ
କେନ୍ୟୁଜ୍(ବ୍ୟୁରୋ): କିିଛି ଦିନ ମଧ୍ୟରେ ଭାରତ ଫେରିବେ ସେରମ୍ ଇନଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲା। ଟିକାର ଚାହିଦା ପୂରଣ ନେଇ ଧମକ ମିଳିବା ପରେ ଲଣ୍ଡନ ଯାଇଥିବା ଆଦାର ପୁନାୱାଲା ଶେଷରେ ଭାରତ ଫେରିବା ନେଇ ଟ୍ଵିଟ ଯୋଗେ ଜଣାଇଛନ୍ତି। ପୁଣେରେ କୋଭାକ୍ସିନର ଉତ୍ପାଦନ ଦ୍ରୁତବେଗରେ ଚାଲିଥିବା ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଖୁବ ଶୀଘ୍ର ସେ ଭାରତ ଫେରି ଉତ୍ପାଦନର ସମୀକ୍ଷା କରିବେ। ଏହା ସହ ଲଣ୍ଡନରେ ସେ କଂପାନୀର ସହଯୋଗୀ ଓ ଅଂଶୀଦାରଙ୍କ ସହ ବୈଠକ ନେଇ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି।
ଲଣ୍ଡନରେ ଦି ଟାଇମ୍କୁ ଏକ ସାକ୍ଷାତକାରରେ ଦେଶର କିଛି ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତି ଟିକା ଯୋଗାଇବାକୁ ଧମକ ଦେବା ପରେ ସେରମ ସିଇଓ ସପରିବାର ଲଣ୍ଡନ ଚାଲିଯାଇଥିବା ଜଣାଇଥିଲେ। ସେମାନଙ୍କୁ ପ୍ରଥମେ ଟିକା ଯୋଗାଇ ଦେବାକୁ ଅଧିକାଂଶ ରାଜ୍ୟ ପୁନାୱାଲାଙ୍କ ଉପରେ ଚାପ ପକାଉଥିବା ସେ କହିଥିଲେ। ଟିକା ଯୋଗାଣ ନେଇ ତାଙ୍କ ଉପରେ ପ୍ରବଳ ଚାପ ରହିଥିଲା। ଏହା ସହ ସେ ଲଣ୍ଡନରେ ସ୍ଥାୟୀ ଭାବେ ମଧ୍ୟ ରହିବାକୁ ଚାହୁଁଥିବା ନେଇ ମଧ୍ୟ ସାକ୍ଷାତକାରରେ କହିଥିଲେ। ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ ଆଦାର ପୁନାୱାଲାଙ୍କୁ ୱାଇ କ୍ୟାଟାଗୋରୀ ସୁରକ୍ଷା ଦେବାକୁ ଘୋଷଣା କରିଥିଲା।