ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରୁ ପ୍ରଥମ ରେଳ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ। ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳବାଇ ମନ୍ତ୍ରାଳୟ ମିଳିଛି। ତାସହ ଆଇଟି ଓ ଯୋଗାଯୋଗ ବିଭାଗର ମନ୍ତ୍ରୀ ପଦ ମିଳିଛି। ଦାୟିତ୍ୱ ନେବା ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ମନ୍ତ୍ରାଳୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭିଜନ ରହିଛି। ‘ପ୍ରଧାନମନ୍ତ୍ରୀଙ୍କ ଭିଜନ୍କୁ ନେଇ କାର୍ଯ୍ୟ କରିବି। ସବୁ ବର୍ଗଙ୍କ ପାଖରେ ରେଳ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି। ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ନେବା ପରେ ରେଳ କ୍ଷେତ୍ରରେ ଅବେହେଳିତ ହୋଇ ଆସୁଥିବା ରାଜ୍ୟବାସୀଙ୍କ ଆଶା ଉଜ୍ଜୀବିତ ହୋଇଛି।
ବିମଳାଗଡ଼-ତାଳଚେର ରେଳପଥ, ସମ୍ବଲପୁର-ବ୍ରହ୍ମପୁର, ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର, ପୁରୀ-କୋଣାର୍କ ଓ ପାରାଦୀପ-ଧାମରା ରେଳପଥ ଏଯାଏ କେବଳ ନକ୍ସା ମଧ୍ୟରେ ଅଟକି ରହିଛି। ରାଉରକେଲା, ଯାଜପୁରରୋଡ ଓ ରାୟଗଡ଼ାରେ ନୂଆ ରେଳ ଡିଭିଜନ ଦାବି ପ୍ରାୟ ୩ ଦଶନ୍ଧିର। ଗତ ୧ ଦଶନ୍ଧି ମଧ୍ୟରେ ଓଡ଼ିଶାକୁ ୧୨ଟି ରେଳ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ମଧ୍ୟ ଏହାର ବିସ୍ୃତ ପ୍ରକଳ୍ପ ରିପୋର୍ଟ କେନ୍ଦ୍ର ରେଳ ମନ୍ତ୍ରାଳୟ ନିକଟରେ ପଡିରହିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ହଜାର ମସିହାରେ କ୍ଷମତାକୁ ଆସିବା ପରେ ବିଜେଡି ବାରମ୍ବାର ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରାଳୟ ଦୃଷ୍ଟିକୁ ଆଣିଛି। ମାତ୍ର ଏହାକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ବାରମ୍ବାର ଉପେକ୍ଷା କରି ଆସୁଥିଲା। ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ନେବା ପରେ ଏବେ ତାହା ତ୍ୱରାନ୍ଵିତ ହେବ ବୋଲି ମଧ୍ୟ ଆଶା କରାଯାଉଛି। ପୂର୍ବରୁ ଭକ୍ତ ଦାସ ଓ କାହ୍ନୁଚରଣ ଲେଙ୍କା ରେଳ ବିଭାଗର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିଲେ। ଏହାପରେ ଆଉ କୌଣସି ଓଡ଼ିଆ ସାଂସଦ ରେଳ ମନ୍ତ୍ରୀ ପଦ ପାଇନଥିଲେ।