Below header

ସିଙ୍ଗାପୁରରୁ ୬ ମାସିଆ ଇଣ୍ଟର୍ଣ୍ଣସିପ୍ ସାରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ଯାଇଥିବା ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଭିନ୍ନ ପ୍ରମୁଖ କମ୍ପାନୀରେ କାମ କରିବାର ସୁଯୋଗ ପାଇଥିଲେ।

ଭୁବନେଶ୍ୱର : ସିଙ୍ଗାପୁରର ବିଭିନ୍ନ କମ୍ପାନୀରେ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ଶେଷ କରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ରବିବାର ସକାଳେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନରେ ଆସି ପହଞ୍ଚିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ କମ୍ପାନୀରେ କାମ କରିବାର ଅନୁଭୂତି ଦେବା ଲାଗି ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ଲାଗି ପ୍ରତିବର୍ଷ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚରୁ ଗତ ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଫେରି ଆସିଛନ୍ତି।

୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ଯାଇଥିବା ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଭିନ୍ନ ପ୍ରମୁଖ କମ୍ପାନୀରେ କାମ କରିବାର ସୁଯୋଗ ପାଇଥିଲେ। ସେଠାରେ ସେମାନେ ନୂଆ ନୂଆ ଜ୍ଞାନକୌଶଳର ବ୍ୟବହାର ଉପରେ ଅଧିକ ଜ୍ଞାନ ଆହରଣ କରିବା ସହ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକରେ କିପରି କାମ କରାଯାଏ ତାହା ଶିଖିବାକୁ ପାଇଥିଲେ। ସିଙ୍ଗାପୁରର ଏହି ଅନୁଭୂତି ସେମାନଙ୍କ ଭବିଷ୍ୟତ କ୍ୟାରିୟରକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶେଷ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ।

‘ସିଙ୍ଗାପୁରର ଗୁଡଉଡ୍ ପାର୍କ ହୋଟେଲରେ ୬ ମାସ ଧରି ମୁଁ କାମ କରିବାର ସୁଯୋଗ ପାଇଲି। ପ୍ରଥମ ଦରମାରେ ମୁଁ ନୂଆ ଫୋନ୍ କିଣିବା ସହ ଘରକୁ ମଧ୍ୟ ଟଙ୍କା ପଠାଉଥିଲି। ତା’ଛଡ଼ା ଏଠାରେ ମୁଁ ନୂଆ ନୂଆ କାମ ବିଷୟରେ ଜାଣିବାକୁ ପାଇଲି। ଏହା ମୋ’ କ୍ୟାରିୟରକୁ ଆଗକୁ ନେବାରେ ସାହାଯ୍ୟ କରିବ’ା ଏକଥା କହିଛନ୍ତି ସୋନାଲିକା ସେଠୀ। ସୋନାଲିକା ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ବିଷୟରେ ତାଲିମ ନେଇ ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିଲେ। ସେହିପରି ସିଙ୍ଗାପୁରରୁ ଫେରିବା ପରେ ଅଜୟ ମଙ୍ଗରାଜ ମଧ୍ୟ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି ।

ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି। ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଅନୁଭୂତି ଦେବା ଲାଗି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଦୁଇ ସପ୍ତାହ ଲାଗି ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତିବର୍ଷ କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ର ସୁଯୋଗ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.