Below header

ପଞ୍ଜାବ ନିର୍ବାଚନ ପୂର୍ବରୁ ଜେଲରୁ ବାହାରକୁ ଆସିବେ ଗୁର୍‌ମିତ ରାମ ରହିମ୍‌; ମିଳିଲା ୩ ସପ୍ତାହର ଛୁଟି

ପଞ୍ଜାବ ନିର୍ବାଚନ ୨୦୨୨ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌ ଜେଲରୁ ବାହାରକୁ ଆସୁଛନ୍ତି। ତାଙ୍କର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ବର୍ତ୍ତମାନ ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଥିବା ରାମ ରହିମଙ୍କୁ ତିନି ସପ୍ତାହର ଛୁଟି (ଫର୍ଲୋ) ଦିଆଯାଇଛି। ଜେଲର ଜଣେ ଅଧିକାରୀ ଆଗାମୀ ତିନି ସପ୍ତାହ ପାଇଁ ଡେରା ମୁଖ୍ୟଙ୍କ ରିଲିଜ୍‌କୁ ନିଶ୍ଚିତ କରିଛନ୍ତି। ଏଥି ପୂର୍ବରୁ ତାଙ୍କୁ ନିଜ ଅସୁସ୍ଥ ମା’ଙ୍କୁ ଭେଟିବା ଲାଗି ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅନେକ ଥର ଜରୁରୀକାଳୀନ ପାରୋଲ୍ ଦିଆଯାଇଛି। କିନ୍ତୁ ଏଥର ତାଙ୍କୁ ଛୁଟି ଅନୁମତି ମିଳିଛି।

ହରିୟାଣାର ଜେଲ ମନ୍ତ୍ରୀ ରଞ୍ଜିତ ସିଂ ଚୌଟାଲା କହିଛନ୍ତି କି, ଆଇନ ଅନୁସାରେ ପ୍ରତ୍ୟେକ କଏଦୀଙ୍କର ଛୁଟି ପାଇବାର ଅଧିକାର ଅଛି ଏବଂ ଏହା ଡେରା ମୁଖ୍ୟଙ୍କ ଉପରେ ମଧ୍ୟ ଲାଗୁ ହୋଇଛି। ରାମ ରହିମଙ୍କ ରିଲିଜ୍‌କୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଭାବରେ ଦେଖା ଯାଉଛି। ଏଠାରେ ୨୦ ଫେବୃଆରୀରେ ମତଦାନ ଅନୁଷ୍ଠିତ ହେବ। ସିରସାସ୍ଥିତ ଡେରା ସଚ୍ଚା ମୁଖ୍ୟଙ୍କର ପଞ୍ଜାବର ଅନେକ ବିଧାନସଭା ଆସନ ଉପରେ ପ୍ରଭାବ ରହିଛି।

ଯଦିଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ଗୁରମିତ୍‌ ରାମ ରହିମଙ୍କୁ ଛୁଟି ଦେବାର ନିର୍ବାଚନ ସହିତ କୌଣସି ନେଣଦେଣ ନାହିଁ। ସେ କହିଥିଲେ କି, ଡେରା ମୁଖ୍ୟଙ୍କୁ ପ୍ରକ୍ରିୟା ଅନୁସାରେ ଫର୍ଲୋ (ଛୁଟି) ମିଳିଛି। ବଲିଉଡ ଅଭିନେତା ମାହୀ ଗିଲ ଓ ପଞ୍ଜାବୀ ଅଭିନେତା ହବି ଧାଲୀଓ୍ଵାଲ ବିଜେପିରେ ସାମିଲ ହେବା ପରେ ଖଟ୍ଟର ଏକ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଏହା କହିଛନ୍ତି। ଖଟ୍ଟର କହିଛନ୍ତି ଯେ ଯେ ହେତୁ ଡେରା ମୁଖ୍ୟ ଅତିକମରେ ତିନି ବର୍ଷର ଜେଲ ଦଣ୍ଡ ଭୋଗି ସାରିଛନ୍ତି, ଏଥିପାଇଁ ସେ କିଛି ଦିନ ପୂର୍ବରୁ ଫର୍ଲୋ ପାଇଁ ଆବେଦନ କରିଥିଲେ। ହରିୟାଣା ସିଏମ୍ କହିଛନ୍ତି ଯେ ସବୁ କିଛି ଆଇନ ଅନୁସାରେ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.