ଘଟଗାଁ(କେନ୍ୟୁଜ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଳି ଛକରେ ଜଣେ ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କର ଗୁଳିମାଡରେ ମୃତ୍ୟୁ ପରେ ଉତ୍ତେଜନା। ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଖଡିବାହାଳି ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଗାଁଲୋକେ।
ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଗତ ୨୬ ତାରିଖ ରାତିରେ କୌଣସି କାରଣକୁ ନେଇ ଜଗବନ୍ଧୁଙ୍କ ସହ ଯୁବକମାନେ ଯୁକ୍ତିତର୍କ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ଯୁବକ ବନ୍ଧୁକ ବାହାର କରି ଜଗବନ୍ଧୁଙ୍କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ।
ଗୁଳିଟି ଜଗବନ୍ଧୁଙ୍କ ବେକରେ ବାଜିଥିଲା। ଗୁରୁତର ଅବସ୍ଥାରେ ଜଗବନ୍ଧୁଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟାଇଥିବା ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ, ଅନ୍ୟ ଜଣେ ଫେରାର ହୋଇଯାଇଛି।