Below header

ଇଭି ପୋର୍ଟାଲ ନବୀକରଣ ପାଇଁ ଡିସେମ୍ବର ୧୪ ରୁ ୨୪ ବନ୍ଦ ରହିବ ଆବେଦନ ପ୍ରକ୍ରିୟା, ଗାଡି କିଣିଥିବା ଗ୍ରାହକ ପାଇବେ ସବ୍‌ସିଡି

କଟକ :  ଇଲେକଟ୍ରିକ୍ ଗାଡି କିଣୁଥିବା ଗାଡ଼ି ମାଲିକଙ୍କ ପାଖକୁ ସବ୍‌ସିଡି ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଧାସଳଖ(ଡିବିଟି)ରେ ଜମା କରାଯିବ। ବ୍ୟାଙ୍କ ଗୁଡିକର ପାଣ୍ଠି ସ୍ଥାନାନ୍ତର ପୋର୍ଟାଲ ସହିତ ଯୋଡାଯାଇ ନୂତନ ପୋର୍ଟାଲକୁ ଅଧିକ ସୁଦୃଢ କରାଯିବ। ଏହାଦ୍ବାରା ହେଉଥିବା ଠକେଇକୁ ରୋକାଯାଇପାରିବ। ଏହି ସବ୍‌ସିଡି ଟଙ୍କା ବ୍ୟାଙ୍କ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଧାସଳଖ ଦିଆଯିବ। ନ୍ୟାସନାଲ୍‌ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ମାଧ୍ୟମରେ ଆକାଉଣ୍ଟ ସୁନିଶ୍ଚିତ କରାଯିବ।

ଇଲେକଟ୍ରିକ୍ ଗାଡିର ମାଲିକମାନେ ୨୫ ଡିସେମ୍ବର ପରଠାରୁ ଆବେଦନ କରି ସବସିଡି ରାଶି ପାଇପାରିବେ। ଯାନ ସଂପର୍କିତ ସୂଚନା ସ୍ୱୟଂଚାଳିତ ଭାବେ ବାହାନ ପୋର୍ଟାଲରୁ ସଂଗ୍ରହ କରାଯିବ। ଏଥିପାଇଁ ଗାଡି ମାଲିକଙ୍କୁ ତାଙ୍କ ବ୍ୟାଙ୍କ ବିବରଣୀ ଦେବାକୁ ହେବ। ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ବଣ୍ଟନ ସମ୍ବନ୍ଧୀୟ ସୂଚନା ଏସଏମଏସ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ପରିବହନ ବିଭାଗର ଯୁଗ୍ମ କମିସନର ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି।

ଏହା ସହ ସେ କହିଛନ୍ତି, ସବ୍‌ସିଡି ପାଇଁ ଆବେଦନ କରିବା ବେଳେ ଗାଡି ମାଲିକ ନିଶ୍ଚିତ ଭାବେ ଆରସି ବୁକ୍‌ରେ ତାଙ୍କ ନାମର ବନାନ ଠିକ୍ ଅଛି କି ନାହିଁ ତାହା ନିଶ୍ଚିତ କରାଇବେ। ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସମାନ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ୍ କରିବା ଆବଶ୍ୟକ। ଆବେଦନ କରିବା ସମୟରେ ସେମାନଙ୍କୁ ଠିକ୍ ଆକାଉଣ୍ଟର ପ୍ରକାର, ଶାଖା ସଂପର୍କିତ ବିବରଣୀ ମଧ୍ୟ ନିର୍ଦ୍ଦିଷ୍ଟ କରିବାକୁ ହେବ। କୌଣସି ଭୁଲ ହେଲେ ସବ୍‌ସିଡି ପ୍ରଦାନ ପ୍ରକ୍ରିୟା ସ୍ୱୟଂଚାଳିତ ଭାବେ ପ୍ରତ୍ୟାଖ୍ୟାନ ହୋଇଯିବ।

ଓଡିଶା ସରକାର ଇଭି ନିୟମ ଅନୁଯାୟୀ ଦୁଇ ଚକିଆ ଯାନ ପାଇଁ ମୂଲ୍ୟର ୧୫ ପ୍ରତିଶତ ସବସିଡି ଅର୍ଥାତ ସର୍ବାଧିକ ୫ ହଜାର ଟଙ୍କା, ତିନି ଚକିଆ ଯାନ ପାଇଁ ୧୫ ପ୍ରତିଶତ ସବ୍‌ସିଡି ଅର୍ଥାତ ସର୍ବାଧିକ ୧୦ ହଜାର ଟଙ୍କା ଓ ଚାରି ଚକିଆ ଯାନ ପାଇଁ ସର୍ବାଧିକ ୫୦ ହଜାର ଟଙ୍କା ସବ୍‌ସିଡି ମିଳିବ। ସେପ୍ଟେମ୍ବର ୧, ୨୦୨୧ରେ କିମ୍ବା ପରେ କିଣାଯାଇଥିବା ଯାନଗୁଡିକ ସବସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହା ପୂର୍ବରୁ ଯାନ କିଣିଥିବା ମାଲିକ ଏ ସୁବିଧା ପାଇ ପାରିବେ ନାହିଁ। ତେବେ ଏହି ସବ୍‌ସିଡି ପ୍ରଦାନ ପ୍ରକ୍ରିୟା ଆସନ୍ତା ୪ ବର୍ଷ ପାଇଁ ରହିବ।

ସୂଚନା ଥାଉକି, ଓଡିଶା ଇଲେକଟ୍ରିକ୍‌ ଯାନ ନୀତି -୨୦୨୧ ଅନୁଯାୟୀ ସବ୍‌ସିଡି ଆବେଦନ ପ୍ରକ୍ରିୟା ବନ୍ଦ ରହିବ। ପୋର୍ଟାଲ ନବୀକରଣ କରାଯାଉଥିବାରୁ ଏହା ଆସନ୍ତା ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ‌ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଇଭି ପୋର୍ଟାଲ୍ ପୁନର୍ବାର ଆସନ୍ତା ୨୫ ତାରିଖରୁ କାର୍ଯ୍ୟକାରୀ କରାଯିବ। ଏହା ସଂପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.