Below header

ଆଣ୍ଠୁଏ ଆଣ୍ଠୁଏ କାଦୁଅ ରାସ୍ତାକୁ ପାର କରୁଛନ୍ତି ଗାଁ ଲୋକେ, ହୋଇପାରୁନି ରାସ୍ତା ନିର୍ମାଣ

ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡମାଳ ଗ୍ରାମ ପଞ୍ଚାୟତ ପଲସାମାଳ ଗ୍ରାମର ଘଣ୍ଟତଇଲା ପଡାକୁ ଯାଇଥିବା ରାସ୍ତାର ଅବସ୍ତା ଶୋଚନୀୟ ରହିଛି । ଏହି ପଡ଼ାରେ ପାଖାପାଖି ୪୦ଟି ପରିବାର ବସବାସ କରନ୍ତି । ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଦୁନିଆ ଆଧୁନିକତା ଆଡ଼କୁ ଗତି କରୁଛି । ଗାଡ଼ି ମଟର ସାଙ୍ଗକୁ ଘରେ ଘରେ ମୋବାଇଲ ରହିଛି । କିନ୍ତୁ ଅନେକ ଗାଁକୁ ଯିବା ପାଇଁ ଏବେ ମଧ୍ୟ ଖଣ୍ଡିଏ ରାସ୍ତା ନାହିଁ । ଗାଁ ଲୋକେ କେତେବେଳେ ପାଣି ଭର୍ତ୍ତି ରାସ୍ତା ପାରି କରି ସହରକୁ ଯାଆନ୍ତି ତ ଆଉ କେତେବେଳେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ରାସ୍ତାକୁ ପାର କରନ୍ତି । ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ବିଭିନ୍ନ ଗାଁରେ ପକ୍କା ସଡ଼କ ମଧ୍ୟ ଯୋଗାଇ ଦିଆଯାଇଛି । କିନ୍ତୁ କିଛି ଗାଁ ଏପରି ଅଛି ଯାହା ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଲୁଚି ରହିଛି । ଏହି ଗାଁ ଗୁଡ଼ିକରେ ସରକାରୀ ଯୋଜନା ଠିକରେ ପହଞ୍ଚି ପାରୁନି। ବଣ, ଜଙ୍ଗଲ, ପାହାଡ଼, ପର୍ବତ ଅତିକ୍ରମ କରି ନିଜ କାର୍ଯ୍ୟ ପାଇଁ ପଞ୍ଚାୟତ ତଥା ବ୍ଲକକୁ ଅନେକ କିଲୋମିଟର ଲୋକଙ୍କୁ ଦୌଡ଼ିବାକୁ ପଡୁଛି । ସମାନ ଭାବେ ଏଭଳି ଏକ ଦୃଶ୍ୟ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡମାଳ ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡମାଳ ଗ୍ରାମ ପଞ୍ଚାୟତ ପଲସାମାଳ ଗ୍ରାମର ଘଣ୍ଟତଇଲା ପଡାକୁ ଯାଇଥିବା ରାସ୍ତାର ଅବସ୍ତା ଶୋଚନୀୟ ରହିଛି । ଏହି ପଡ଼ାରେ ପାଖାପାଖି ୪୦ଟି ପରିବାର ବସବାସ କରନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ପଡାକୁ ପ୍ରାୟ ୭ କିମିରୁ ଅଧିକ ରାସ୍ତା ରହିଥିବା ବେଳେ, ଲୋକେ ଚାଲି ଚାଲି ଯାଇ ନିଜ କାମ କରିଥାନ୍ତି । ଅଧିକ ବର୍ଷା ହେଲେ ପାଖରେ ଥିବା ଏହି ନାଳରେ ପାଣି ବଢ଼ିଯିବାରୁ ସ୍କୁଲକୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଯାଇ ପାରନ୍ତି ନାହିଁ । ଯଦି ଅତି ଜରୁରୀ ପଡେ ଲୋକଙ୍କୁ ଅନ୍ୟ ରାସ୍ତା ଦେଇ ପ୍ରାୟ ୨୫ କିମି ଅତିକ୍ରମ କରି ପଞ୍ଚାୟତ ଅଫିସକୁ ଚାଉଳ ଏବଂ ଭତ୍ତା ନେବାକୁ ଆସିବାକୁ ପଡିଥାଏ ।

ଯଦି ଗାଁରେ କୌଣସି ରୋଗୀଙ୍କୁ ବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ନେବାକୁ ହୁଏ ତେବେ ସେମାନଙ୍କୁ ଖଟିଆରେ ବୋହି ଦୀର୍ଘ ୫ କିମି ରାସ୍ତା ନେବାକୁ ପଡିଥାଏ । ଏହାକୁ ନେଇ ଗ୍ରାମବାସୀ କହିଛନ୍ତି ଯେ, ଅନେକ ଥର ପଞ୍ଚାୟତ, ବ୍ଲକ ଅଫିସ, ପଲ୍ଲୀସଭା ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ରାସ୍ତାକୁ ନିର୍ମାଣ କରିବାକୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ। ଯଦି ଭଲ ରାସ୍ତା ଖଣ୍ଡିଏ ଏବଂ ପୋଲ ଖଣ୍ଡିଏ ହୁଅନ୍ତା ତାହା ହେଲେ ଯିବା ଆସିବା କରିବାରେ ସୁବିଧା ହୁଅନ୍ତା ବୋଲି ଗାଁ ଲୋକେ କହିଛନ୍ତି । ଏଭଳି ରାସ୍ତା ଦେଇ ଯିବାକୁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି ଏହି ଲୋକଙ୍କୁ ।

ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏ ବିଷୟରେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗୀୟ ଅଧିକାରୀ ଏବଂ ବିଡିଓଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ସହିତ ବ୍ରିଜ ମଧ୍ୟ ନିର୍ମାଣ କରାଯିବ । ତେବେ ଦେଖିବାକୁ ବାକି ରହିଲା ଏହି ଗାଁରେ ରାସ୍ତା ସହ ବ୍ରିଜ ନିର୍ମାଣ କାମ କେବେ ଆରମ୍ଭ ହେଉଛି ଏବଂ ଏ ଅଞ୍ଚଳର ଗ୍ରାମବାସୀ କେବେ ଏ ସମସ୍ୟାରୁ ମୁକ୍ତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.