Below header

ବାଡିରୁ କୋବିଟିଏ ତୋଳି ଖାଇଦେଲା ବୋଲି, ମା’କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ପୁଅ

ପୁଅର ମାଡ଼ରେ ଆହତ ହେଲା ମା' । ଏବେ ଯୋଡା ବ୍ଲକ ସ୍ଥିତ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ।

ଆନନ୍ଦପୁର (କେନ୍ୟୁଜ): ଘରେ ପୁଅଟିଏ ଜନ୍ମ ହେଲେ ବାପା ମା’ ଙ୍କ ଖୁସି କହିଲେ ନସରେ । ଏଥିପାଇଁ କେତେ ଦିଅଁ ଦେବତାଙ୍କୁ ମାନସିକ କରି ପୁଅ ପାଇଲା ପରେ ଖୁସିରେ ଫାଟି ପଡେ ଘର। ଆଶା କରିଥାନ୍ତି ବୃଦ୍ଧାବସ୍ଥାରେ ପୁଅ ଆଶାବାଡ଼ି ପରି ସାହା ହେବ । ଭଲ ମଣିଷଟିଏ ହୋଇ ପରିବାରର ନା ରଖିବ। ଏମିତି କେତେ କଣ ଭାବି ଦୁଃଖକଷ୍ଟରେ ପୁଅକୁ ବଡ କରିଥାନ୍ତି ବାପା ମା ।

ଖାଲି ସେତିକି ନୁହେଁ ରୋଜଗାର ପାଇଁ ବାଟ ମଧ୍ୟ ଦେଖାଇଥାନ୍ତି, ହେଲେ ପରିଣତ ବୟସରେ ଘରୁ ତଡା ଖାଇବା, ପର ଘର ବାରଣ୍ଡାରେ ମୁଣ୍ଡ ଗୁଞ୍ଜିବା ଏବଂ ମାଡ ଖାଇବା ଭଳି ପରିସ୍ଥିତି ଭୋଗିବାକୁ ପଡିଥାଏ ଅନେକ ବାପା ମାଙ୍କୁ। ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ଆଜିର ଏହି ଘଟଣା ଯାହା ଏତେ ନିନ୍ଦନୀୟ ଯେ ଆପଣ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ଥରେ ଭାବିଲେ ମାଟିଏ ସବୁବେଳେ ତା ଛୁଆର ମନ ଜାଣି ପେଟକୁ ଦିମୁଠା ଖାଇବାକୁ ଦେଇଥାଏ , ହେଲେ ସେହି ଛୁଆ ଯେତେବେଳେ ବଡ ହୁଏ ସେତେବେଳେ ମା ମନ ଜାଣି ଖାଇବାକୁ ଦବ କଣ ଓଲଟି ମାଡ ମାରେ ।

ଏମିତି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରସପଷି ଗ୍ରାମରେ । ନିଜର ୭୦ ବର୍ଷୀୟା ମା’କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛି ପୁଅ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଏବେ ଉଦବେଗ ପ୍ରକାଶ ପାଇଛି । ଅର ମାଡ଼ରେ ଆହତ ହୋଇ ମା’ ସୁଭଦ୍ରା ମହାନ୍ତ ଏବେ ଯୋଡା ବ୍ଲକ ସ୍ଥିତ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ।

ସୁଭଦ୍ରାଙ୍କ ଦୁଇ ପୁଅ । ଦୁଇପୁଅ ଓ ମା ସମସ୍ତେ ଅଲଗା ରହୁଛନ୍ତି। ମା’ର ଦୋଷ ଏୟା ଥିଲା ଯେ ସେ ସାନ ପୁଅ ଶତ୍ରୁଘ୍ନର ବାଡ଼ି ରୁ ଗୋଟେ କୋବି ଆଣି ରୋଷେଇ କରି ଖାଇଦେଇଥିଲା । ଏହି ଘଟଣାକୁ ନେଇ କାହିଁକି ବାଡିରୁ କୋବି ଆଣିଲୁ କହି ପାଟି ତୁଣ୍ଡ କରିବା ପରେ ମା’କୁ ଘର ନିକଟରେ ଥିବା ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲା ନିର୍ଦୟ ପୁଅ ।

ଏ ଘଟଣା ଦେଖି ଗାଆଁ ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇ ଶେଷରେ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ଚମ୍ପୁଆ ପୋଲିସ୍ ପହଁଚି ବୃଦ୍ଧା ସୁଭାଦ୍ରାଙ୍କୁ ଉଦ୍ଧାର କରି  କରି ଆମ୍ବୁଲାନ୍ସ ଯୋଗେ ବାସୁଦେବ ପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଛି। ଅପରପଟେ ଏହି ଘଟଣା ପରେ ପୋଲିସ୍ ନିଜ ଆଡୁ ଅଭିଯୁକ୍ତ ପୁଅ ବିରୋଧରେ ଏକ ମାମଲା ରୁଜୁ କରିଥିବାବେଳେ, ବର୍ତ୍ତମାନ କୁଳାଙ୍ଗାର ପୁଅ ଫେରାର୍ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.