IPL ପୂର୍ବରୁ ବିବାହ କଲେ ଏହି ଷ୍ଟାର୍ କ୍ରିକେଟର, ପତ୍ନୀଙ୍କ ସାଙ୍ଗରେ କଲେ ଡ୍ୟାନ୍ସ
ଆଇପିଏଲ୍ର ୧୭ଶ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି । ଆଇପିଏଲ୍ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟନ୍ସର ଷ୍ଟାର୍ କ୍ରିକେଟର ଡେଭିଡ୍ ମିଲର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୭ଶ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି । ଆଇପିଏଲ୍ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟନ୍ସର ଷ୍ଟାର୍ କ୍ରିକେଟର ଡେଭିଡ୍ ମିଲର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିଜ ଦୀର୍ଘଦିନର ପ୍ରେମିକା କାମିଲା ହାରିସ୍ଙ୍କ ହାତ ଧରିଛନ୍ତି । ୩୪ ବର୍ଷୀୟ ମିଲରଙ୍କର ଦକ୍ଷିଣ ଆଫ୍ରିକାର କେପ୍ଟାଉନ ସହରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।
ଡେଭିଡ୍ ମିଲର ଇନ୍ଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ବିବାହ ଉତ୍ସବରେ ସେ ତାଙ୍କ ପତ୍ନୀ କାମିଲାଙ୍କ ସହିତ ଡ୍ୟାନ୍ସ ମଧ୍ୟ କରିଥିଲେ । ଦୁହିଁଙ୍କ ବିବାହରେ କ୍ୱିଣ୍ଟନ ଡିକକ୍ଙ୍କ ସମେତ କିଛି ଷ୍ଟାର୍ ଆଫ୍ରିକୀୟ କ୍ରିକେଟର ବି ସାମିଲ ହୋଇଥିଲେ ।
କାମିଲା ହାରିସ୍ ଜଣେ ପୋଲୋ ଖେଳାଳି । ମିଲର ତାଙ୍କୁ ୨୦୨୩ ଅଗଷ୍ଟରେ ଜାମ୍ବେଜୀ ନଦୀ ପାର୍ଶ୍ୱରେ ପ୍ରେମ ନିବେଦନ କରିଥିଲେ । ଡେଭିଡ୍ ମିଲର ନିଜ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ଗହଣରେ ବହୁତ ନିରାଡ଼ମ୍ବରରେ ପ୍ରେମିକାଙ୍କୁ ଜୀବନସାଥୀ କରିଥିଲେ । ମିଲରଙ୍କ ନବବିବାହିତା ପତ୍ନୀ କାମିଲା ହାରିସ୍ ମଧ୍ୟ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଡେଭିଡ୍ ମିଲର ଆଇପିଏଲ୍ ୨୦୨୨ରେ ଗୁଜରାଟ ଟାଇଟନ୍ସର ଟାଇଟଲ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ସେ ଏ ପର୍ଯ୍ୟନ୍ତ ୧୭୩ଟି ଦିନିକିଆ ଏବଂ ୧୬୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲ୍ ୨୦୨୪ରେ ଡେଭିଡ୍ ମିଲର ଗୁଜରାଟ ଟାଇଟନ୍ସ ତରଫରୁ ଖେଳିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ସେ ୨୦୨୨ ଏବଂ ୨୦୨୩ରେ ବଢ଼ିଆ ପ୍ରଦର୍ଶନ କରିଥିଲେ ।