ହାଇଦ୍ରାବାଦ : ଏକ ଆଞ୍ଚଳିକ ବିମାନ କମ୍ପାନୀ ‘ଟ୍ରୁଜେଟ ଏୟାର ଲାଇନ’ ନିଜର ୪ର୍ଥ ବର୍ଷ ବାର୍ଷିକତ୍ସବ ଅବସରରେ ବୃଦ୍ଧାଶ୍ରମର ୪୫ ଜଣ ଅନ୍ତେବାସୀଙ୍କୁ ମାଗଣାରେ ଅନେକ ତୀର୍ଥସ୍ଥାନ ବୁଲାଇଛି। ଏହି ୪୫ ଜଣ ହେଉଛନ୍ତି ହାଇଦ୍ରାବାଦର ମାଲକାଜିଗିରି ସ୍ଥିତ ଆଣ୍ଟୋନି ଓଲ୍ଡ ଏଜ୍ ହୋମ ଅନ୍ତେବାସୀ। ରବିବାର ଦିନ କମ୍ପାନୀ ନିଜର ବିଗ୍ସ ଅଫ ପ୍ରାଇଡ କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ହାଇଦ୍ରାବଦରୁ ନାନ୍ଦେଡ ଓ ନାନ୍ଦେଡ ରୁ ହାଇଦ୍ରାବଦ ସମ୍ପୂର୍ଣ୍ଣ ମାଗଣାରେ ବିମାନ ଯାତ୍ରା କରାଇଛି। ଏହି ଅନ୍ତେବାସୀ ମାନେ ରବିବାର ଦିନ ପ୍ରଥମ ବିମାନ ଯାତ୍ରାର ଖୁସିକୁ ଅନୁଭବ କରିଥିଲେ। ଏମାନେ ନାନ୍ଦେଡରେ ଗୁରୁଦ୍ବାରା ଯାଇ ଫେରିଥିଲେ। ସବୁ ଅନ୍ତେବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ସୁବ୍ୟବସ୍ଥା ମଧ୍ୟ ହୋଇଥିଲା।
କମ୍ପାନୀର କହିବା କଥା ହେଲା ବୃଦ୍ଧାଶ୍ରମର ବରିଷ୍ଠ ନାଗରିକ ମାନେ ନିଜ ଜୀବନରେ ପ୍ରଥମ ଥର ପାଇଁ ଏହି ଖୁସିକୁ ଅନୁଭବ କରିଛନ୍ତି। ତେଣୁ ଯାତ୍ରା ସମୟରେ ସେମାନେ ବେଶ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ କମ୍ପାନୀ ତରଫରୁ ଅନାଥ ପିଲାମାନଙ୍କ ପାଇଁ ସି.ଏସ.ଆର କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲା ଓ ବାର୍ଷିକ ଉତ୍ସବ ଅବସରରେ ପ୍ରାୟ ୨୦୦ ଅନାଥ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇଥିଲା।