ବିରୋଧ କଲେ ମହିଳା, ଏଣୁ ଆପତ୍ତିଜନକ ଲୋଗୋ ବଦଳାଇବାକୁ ବାଧ୍ୟ ହେଲା ଇ-କମର୍ସ କମ୍ପାନୀ Myntra
ଇ-କମର୍ସ ୱେବ୍ସାଇଟ୍ ମିନ୍ତ୍ରା (Myntra) ଏବେ ବଡ଼ ସମସ୍ୟାରେ ପଡ଼ିଛି। କମ୍ପାନୀର ଲୋଗୋ ଏବେ କମ୍ପାନୀ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମିନ୍ତ୍ରାର ଲୋଗୋ ମହିଳାଙ୍କ ପାଇଁ ଆପତ୍ତିଜନକ କୁହାଯିବା ପରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ସାଇବର କ୍ରାଇମ୍ ପୋଲିସ। ବିବାଦ ଘେରକୁ ଯିବା ପରେ ମିନ୍ତ୍ରା ଏବେ ନିଜ ଲୋଗୋରେ କେତେକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।
ରିପୋର୍ଟ ମୁତାବକ, ମିନ୍ତ୍ରାର ଲୋଗୋକୁ ଆପତ୍ତିଜନକ ଦର୍ଶାଇ ଡିସେମ୍ବର ୨୦୨୦ରେ ଏନ୍ଜିଓ ଅବେସ୍ତା ଫାଉଣ୍ଡେସନ୍ର ନାଜ୍ ପଟେଲ ମୁମ୍ବାଇ ସାଇବର ସେଲରେ ମାମଲା ରୁଜୁ କରିଥିଲେ। ସେ ମିନ୍ତ୍ରାର ଏହି ଲୋଗୋକୁ ହଟାଇବାକୁ ଦାବି କରିଥିଲେ। ଏଥିସହ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ମାମଲା ରୁଜୁ ହେବା ପରେ ମୁମ୍ବାଇ ପୋଲିସର ସାଇବର କ୍ରାଇମ୍ ବିଭାଗର ଡିଏସ୍ପି ରଶ୍ମି କରନ୍ଦିକର ଯାଞ୍ଚ ବେଳେ ଏହି ଆପତ୍ତିଜନକ ବୋଲି ଜାଣିବାକୁ ପାଇଥିଲେ। ଏଣୁ ଇମେଲ ମାଧ୍ୟମରେ ସେ ମିନ୍ତ୍ରା ସହ ଯୋଗାଯୋଗ କରିଥିଲେ। ପରେ କମ୍ପାନୀର ଅଧିକାରୀ ତାଙ୍କ ସହ ସାକ୍ଷାତ କରି ଲୋଗୋ ପରିବର୍ତ୍ତନ କରିବାକୁ ମାସେ ସମୟ ମାଗିଥିଲେ। ପ୍ରତିଶ୍ରୁତି ମୁତାବକ ସେମାନେ ନିଜ ଲୋଗୋକୁ ପରିବର୍ତ୍ତନ କରିଛନ୍ତି ଓ ଖୁବ୍ଶୀଘ୍ର ନିଜ ମୋବାଇଲ ଆପ୍ଲିକେସନ୍ ଓ ୱେବ୍ସାଇଟ୍ରେ ମଧ୍ୟ ଲୋଗୋକୁ ବଦଳାଯିବ ବୋଲି କମ୍ପାନୀ କହିଛି। ଏଥିସହ ପ୍ୟାକିଂ ମ୍ୟାଟେରିଆଲରେ ମଧ୍ୟ ଲୋଗୋକୁ ପରିବର୍ତ୍ତନ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।