Below header

ସନ୍ତାନ ଜନ୍ମ କରିବାର ଗୋଟିଏ ଦିନ ପୂର୍ବରୁ ଦେଶକୁ କରୋନା ଟେଷ୍ଟିଂ କିଟ୍‌ ଦେଇଥିବା ଏହି ମହିୟସୀ ମହିଳାଙ୍କୁ ଜାଣନ୍ତୁ

କର୍ମ ସମସ୍ତେ କରନ୍ତି, ତାହା ବ୍ୟକ୍ତିଗତ ହେଉ ବା ବ୍ୟବସାୟୀକ । ମାତ୍ର କର୍ମକୁ ଧର୍ମ ଭାବେ ଗ୍ରହଣ କରିଥିବା ଏମିତି କ୍ୱଚିତ୍‌ କର୍ମଚାରୀ ଦେଖାଯାଆନ୍ତି ଯିଏ ସଭିଁଙ୍କ ମଙ୍ଗଳ ପାଇଁ ନିଜର ସ୍ୱାର୍ଥକୁ ତୁଚ୍ଛ କରିଦିଅନ୍ତି । ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି ମିନାଲ୍‌ ଦାଖ୍‌ଭେ ଭୋସ୍‌ଲେ । ସନ୍ତାନ ଜନ୍ମ କରିବାର ଗୋଟିଏ ଦିନ ପୂର୍ବରୁ ଦେଶକୁ କରୋନା ଟେଷ୍ଟିଂ କିଟ୍‌ ଦେଇଥିଲେ । 

ଶ୍ରୀମତି ମିନାଲ ହେଉଛନ୍ତି ପୁନେ ସ୍ଥିତ ‘ମାଇଁ ଲାବ୍‌’ ପ୍ରତିଷ୍ଠାନର ଗବେଷଣା ମୁଖ୍ୟ । ମାଇଁ ଲାବ୍‌ ହେଉଛି କରୋନା ଭାଇରସ୍‌ କିଟ୍‌ ନିର୍ମାଣ ଓ ବିକ୍ରୟ କରିବା ପାଇଁ ସରକାରଙ୍କ ଅନୁମୋଦନ ଲାଭ କରିଥିବା ଭାରତର ପ୍ରଥମ ପ୍ରତିଷ୍ଠାନ ।

mahindra

ଏହା ପୂର୍ବରୁ ଭାରତ କରୋନା ଟେଷ୍ଟିଂ କିଟ୍‌ ବାହାର ଦେଶରୁ ଆମଦାନୀ କରୁଥିଲା । ଗତ ଫେବ୍ରୁଆରୀ ମାସରେ ମାଇଁ ଲାବ୍‌ କରୋନା ଟେଷ୍ଟିଂ କିଟ୍‌ ନିର୍ମାଣ ଆରମ୍ଭ କରିଥିଲା । ମାର୍ଚ୍ଚ ମାସ ୧୮ ତାରିଖରେ କିଟ୍‌ ନିର୍ମାଣ କରିବାରେ ସଫଳତା ପାଇଥିଲା ।

ତେବେ ଶ୍ରୀମତୀ ମିନାଲ ଗର୍ଭବତୀ ଥିବା ସତ୍ତ୍ୱେ ପ୍ରତିଷ୍ଠାନର ମୁଖ୍ୟ ହେତୁ ୧୭ ତାରିଖ ପର୍ଯ୍ୟନ୍ତ ଏହି କିଟ୍‌ ନିର୍ମାଣ କରିବାରେ ସହାୟତା କରିବା ସହ ସେହି ୧୭ ତାରିଖରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

ତାଙ୍କର ଏହି ସହାୟତା ପାଇଁ ତାଙ୍କୁ ସବୁ ଦିଗରୁ ଶୁଭେଚ୍ଛାର ବାର୍ତ୍ତା ମିଳିବାରେ ଲାଗିଛି । ବିବିସିକୁ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି ‘ମୁଁ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲି । କାରଣ ମୋ ଦେଶ ପାଇଁ ଏହାର ବଡ଼ ଆବଶ୍ୟକତା ଥିଲା’।

minal-1

ଆମେ ନିର୍ମାଣ କରିଥିବା କରୋନା ଟେଷ୍ଟିଂ କିଟ୍‌ରେ ମାତ୍ର ଅଢ଼େଇ ଘଣ୍ଟାରେ ରିପୋର୍ଟ ପାଇପାରିବୁ ଯାହାକି ବାହାରୁ ଆସୁଥିବା କିଟ୍‌ ୬|୭ ଘଣ୍ଟା ନେଉଥିଲା । ଖାଲି ସେତିକି ନୁହେଁ ବାହାରୁ ଆସୁଥିବା କିଟ୍‌ ଦାମ୍‌ ୪୫୦୦ ଟଙ୍କା ପଡ଼ୁଥିବା ବେଳେ ଆମର କିଟ୍‌ ମାତ୍ର ୧୨୦୦ ଟଙ୍କା ପଡ଼ୁଛି ବୋଲି ଶ୍ରୀମତୀ ମିନାଲ କହିଥିଲେ । ଏହି ଗୋଟିଏ କିଟ୍‌ରେ ୧୦୦ ଜଣଙ୍କର ଟେଷ୍ଟ କରିହେବ ବୋଲି ସେ କହିଛନ୍ତି ।

ତାଙ୍କର ଏହି କାମ ପାଇଁ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଟ୍ଵିଟର ମାଧ୍ୟମରେ ତାଙ୍କୁ ପ୍ରଶଂସା କରି ଲେଖିଛନ୍ତି ‘ଆପଣ ସନ୍ତାନ ଜନ୍ମ କରିବାର ଗୋଟିଏ ଦିନ ପୂର୍ବରୁ କିଟ୍‌ ପ୍ରସ୍ତୁତ କରି ଦେଶବାସୀଙ୍କୁ ଆଶାର କିରଣ ଦେଲ । ଏଥିପାଇଁ ଆମେ ଆପଣଙ୍କୁ ସ୍ୟାଲୁଟ୍‌ କରୁଛୁ ’ ।

ଶ୍ରୀ ମହିନ୍ଦ୍ରା କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ଭେଣ୍ଟିଲେଟର ନିର୍ମାଣରେ ସହଯୋଗ କରିବା ସହ ମହିନ୍ଦ୍ର ରିସୋର୍ଟକୁ ମେଡିକାଲ୍‌ ପାଇଁ ଛାଡି ଦେଇଛନ୍ତି । ସେହିପରି ଅଭିନେତ୍ରୀ ସୋନି ରାଜଦାନ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶ୍ରୀମତୀ ମିନାଲଙ୍କୁ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.