Below header

ରାଜ୍ୟରେ କରୋନା ସ୍ଥିତି : ବାଗଚୀ କହିଲେ ‘୧୦୪ ହେଲପ୍‌ ଲାଇନ୍‌’ ନ କହିବା ଯାଏ ଘରୁ ଗୋଡ଼ କାଢନ୍ତୁ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : କିଛି ଦିନ ତଳେ ଇଟାଲୀ, ଫ୍ରାନ୍ସ, ଚୀନ୍‌ ଆଦି କରୋନା ସଂକ୍ରମଣରେ ଆଗରେ ଥିଲେ । ହେଲେ ଆଜି ଏଥିରେ ଶୀର୍ଷକୁ ଯାଇଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଯାହା ପାଖରେ ସବୁ କିଛି ସାଧନ ଥାଇ ମଧ୍ୟ ଏଠାରେ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ତେଣୁ ଆମେରିକା ଭଳି ଦେଶର ଯଦି ଏ ଅବସ୍ଥା ସେଠି ଆମେ ଯଦି ସତର୍କ ନରହିବା ଭାରତ ତଥା ଓଡ଼ିଶାରେ ମଧ୍ୟ କରୋନା ତାର କାୟା ମେଲାଇ ବଢ଼ି ଚାଲିବ ବୋଲି ସତର୍କ କରାଇଛନ୍ତି ଓଡ଼ିଶା କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି । ତେଣୁ ‘୧୦୪ ହେଲପ୍‌ ଲାଇନ ନ କହିବା ଯାଏ ଘରୁ ଗୋଡ଼ କାଢନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ତୃତୀୟ ପଜେଟିଭ୍‌ଙ୍କ ସଂସ୍ପର୍ଶରେ କେତେ ?

ତାଙ୍କ ସୂଚନା ଅନୁସାରେ ଆଜି ଦିନ ୧ଟା ସୁଦ୍ଧା ରାଜ୍ୟରେ ମୋଟ୍‌ ୨୫୬ଟି ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା। ସେଥିରୁ ୧୮୯ଟିର ରିପୋର୍ଟ ଆସିଛି । ଏଯାଏ ୩ଟି ପଜେଟିଭ୍‌ ବାହାରିଥିବା ବେଳେ ବାକି ସବୁ ନେଗେଟିଭ୍‌ ରହିଛି । ତିନି ଜଣ ଯାକ ପଜେଟିଭ୍‌ ଭୁବନେଶ୍ୱରର । ପ୍ରଥମ ଦୁଇଜଣ ସୁସ୍ଥ ଅଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ତୃତୀୟ ବ୍ୟକ୍ତିଙ୍କୁ ଅବଜର୍ଭେସନ୍‌ରେ ରଖାଯାଇଛି । ତାଙ୍କ ଠାରେ ଜ୍ୱର ଓ କାଶର ଲକ୍ଷଣ ରହିଛି । ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେତେ ଲୋକ ଆସିଛନ୍ତି ତା ସ୍ପଷ୍ଟ ହାଇନାହିଁ । ଏ ନେଇ ଅନୁସନ୍ଧାନ ଚାଲିଛି ବୋଲି ସେ କହିଛନ୍ତି ।
ତୃତୀୟ ସଂକ୍ରମିତ ତିନିଟି ହସପିଟାଲ ବୁଲିଛନ୍ତି । ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ଦୁଇରୁ ତିନି କିମ୍ବା ଚାରି ଜଣଙ୍କୁ ସଂକ୍ରମିତ କରି ପାରେ । ଆଉ କିଛି ଲୋକଙ୍କ ଠାରୁ ଅଧିକ ବେଗରେ ସଂକ୍ରମଣ ହୁଏ । ଯାହା ଦକ୍ଷିଣ କୋରିଅରରେ ଘଟିଛି । ଜଣେ ମହିଳା ୧୧୬୦ ଜଣଙ୍କୁ ସଂକ୍ରମିତ କରିଥିଲେ । ତେଣୁ ଏଭଳି ଲକ୍ଷଣ ଥିବା ବ୍ୟକ୍ତିମାନେ ୧୦୪ ହେଲପଲାଇନ୍‌ର ନିର୍ଦ୍ଦେଶ ନଆସିଲା ପର୍ଯ୍ୟନ୍ତ ଘର ସୀମାରେଖା ଆଦୌ ଡେଇଁବା ଉଚିତ ନୁହେଁ ବୋଲି ବାଗଚୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ସାରା ରାଜ୍ୟରେ ଶହେଟି ଟିମ୍‌ ଆସି କାମ କରୁଥିବା ନେଇ ସୂଚନା ଦେବା ସହ ଏପର୍ଯ୍ୟନ୍ତ ରାଜ୍ୟ ବାହାରୁ ଫେରିଥିବା ୪୪୯୫ ଜଣ ପଞ୍ଜୀକରଣ କରିଥିବା ବେଳେ ଏବେ ୩୭ ଜଣ ଆଇସୋଲେସନ୍‌ରେ ଅଛନ୍ତି ।

ରାଜ୍ୟ ବାହାର ଓଡ଼ିଆ ସଂଗଠନଙ୍କୁ ନବୀନଙ୍କ ଅନୁରୋଧ

ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏବେ ସେଠାରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ଏନେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି । ସେମାନେ ଫସି ରହିଥିବା ଓଡ଼ିଆଙ୍କୁ ଖାଦ୍ୟ ଯୋଗାଇ ଦିଅନ୍ତୁ । ଏ ବାବଦରେ ସେମାନଙ୍କୁ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିବେ ବୋଲି ବାଗଚୀ କହିଛନ୍ତି ।
ରାଜ୍ୟ ବାହାରୁ ଆସିଥିବା ୫୫୪୭ କର୍ମଜୀବୀଙ୍କ ପାଇଁ ୩୬ଟି ଶିବିରରେ ଖାଦ୍ୟପେୟ ଓ ରହଣି ବ୍ୟବସ୍ଥା କରାଯାଇଛି । ଏମାନେ ସବୁ ବିହାର, ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ ,ଦିଲ୍ଲୀ, ମଧ୍ୟ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟର ବୋଲି ସେ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମ ଅତ୍ୟନ୍ତ ନିଷ୍ଠାର ସହ ତାର ଭୂମିକା ତୁଲାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି ।
ଆହୁରି ମଧ୍ୟ ଶାସନ କଳ କିଭଳି ଭାବେ କୋଭିଡ୍‌-୧୯ ମୁକାବିଲାରେ ଦିନରାତି କାମ କରୁଛି ସେ ସମ୍ପର୍କରେ ବାଗଚୀ କହିଥିଲେ । ତେବେ ସୋସିଆଲ ମିଡିଆରେ କୌଣସି କଟାକ୍ଷ ଓ ସମାଲୋଚନା ସହ କରୋନା ବିରୋଧରେ ଲଢ଼େଇ କରୁଥିବା ବ୍ୟକ୍ତିବିଶେଷଙ୍କୁ ନିରୁତ୍ସାହିତ କଲା ଭଳି ମନ୍ତବ୍ୟ ନଦେବାକୁ ସେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.