Below header

ଶହ ଶହ ବର୍ଷର ବଳଦ ପୂଜା ପରମ୍ପରା, ଦେଖିବା ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇଥାନ୍ତି

ପବିତ୍ର ଦୁର୍ଗା ପୂଜା ଓ ଦଶହରା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରଥା ଓ ପରମ୍ପରା ରହିଛି। କିନ୍ତୁ ଭଦ୍ରକ ଜିଲ୍ଲାର ଅର୍ଣ୍ଣପାଳ ଠାରେ ରହିଛି ଭିନ୍ନ ଏକ ନିଆରା ପରମ୍ପରା । ଯାହା ୧୦ ବର୍ଷ କିମ୍ବା ୨୦ ବର୍ଷ ହେଲା ନୁହେଁ ବରଂ ଶହ ଶହ ବର୍ଷ ହେଲା ରହି ଆସିଛି। ତାହା ହେଉଛି ବଳଦ ପୂଜା ପରମ୍ପରା ।

ଭଦ୍ରକ(କେନ୍ୟୁଜ୍): ପବିତ୍ର ଦୁର୍ଗା ପୂଜା ଓ ଦଶହରା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରଥା ଓ ପରମ୍ପରା ରହିଛି। କିନ୍ତୁ ଭଦ୍ରକ ଜିଲ୍ଲାର ଅର୍ଣ୍ଣପାଳ ଠାରେ ରହିଛି ଭିନ୍ନ ଏକ ନିଆରା ପରମ୍ପରା । ଯାହା ୧୦ ବର୍ଷ କିମ୍ବା ୨୦ ବର୍ଷ ହେଲା ନୁହେଁ ବରଂ ଶହ ଶହ ବର୍ଷ ହେଲା ରହି ଆସିଛି। ତାହା ହେଉଛି ବଳଦ ପୂଜା ପରମ୍ପରା। ଯାହାକୁ ସମସ୍ତେ ଦଶହରା ବଳଦ ବୋଲି କହନ୍ତି।

ସାମ୍ପ୍ରତିକ ସମାଜରେ ଗ୍ରାମାଞ୍ଚଳରୁ ହଳ ଲଙ୍ଗଳର ଆଉ ବ୍ୟବହାର ହେଉନାହିଁ। ଟ୍ରାକ୍ଟରରେ ହଳ ହେଉଛି । ତଥାପି କେତେକ ଚାଷୀ ନିଜ ଘରେ ବଳଦ ରଖି ହଳ ଲଙ୍ଗଳରେ ଚାଷ କରୁଛନ୍ତି। ତେଣୁ ସେହି ବଳଦର ସୁସ୍ଥ ଓ ନିରୋଗ କାମନା କରି ଏଠାକାର କେତେକ ଚାଷୀ ପବିତ୍ର ଦଶହରା ଦିନ ନିଜେ ଉପବାସ ରହି ନିଜ ବଳଦକୁ ସୁସଜ୍ଜିତ କରିଥାନ୍ତି। ପରେ ସେମାନେ ଏକ ଶୋଭାଯାତ୍ରାରେ ମା ଦୁର୍ଗାଙ୍କ ମଣ୍ଡପକୁ ନିଜ ବଳଦକୁ ଆଣିଥାନ୍ତି। ବଳଦ ବେକରେ ଘଣ୍ଟି, ମାଳ ଏବଂ ଶିଙ୍ଗରେ ମୟୁର ପୂୂଚ୍ଛ ବାନ୍ଧି ସେହିଦିନ ପୂଜା ମଣ୍ଡପକୁ ଅଣାଯାଇଥାଏ । ଏଥିପାଇଁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ବାଦ୍ୟ, ନୃତ୍ୟ ଓ ଆତସବାଜୀ ମାଧ୍ୟମରେ ଶୋଭାଯାତ୍ରା ଗାଁ ରୁ ବାହାରି ମଣ୍ଡପ ନିକଟରେ ପହଞ୍ଚିଥିଲା।

puja

ପରେ ବଳଦ ଗୁଡିକ ମା ଙ୍କ ନିକଟକୁ ଆସି ମୁଣ୍ଡିଆ ମାରି ମା ଙ୍କ ପ୍ରସାଦ ସେବନ କରିଥିଲେ। ଏବଂ ସେଠାରେ ଥିବା ପୂଜକ ବଳଦର ଶୁଭ ମନାସୀ ମା ଙ୍କର ପାଦୁକାକୁ ବଳଦ ଉପରେ ଛିଞ୍ଚନ ସହ ମଣ୍ଡା ଭୋଗ କରିବାକୁ ଦେଇଥିଲେ। ପରେ ବଳଦକୁ ମାଲିକ ମାନେ ନିଜ ଘରୁକୁ ନେଇଥିଲେ। ଯାହା ବେଶ ଆକର୍ଷଣୀୟ ଓ ଆନନ୍ଦର ମାହୋଲ ସୃଷ୍ଟି କରିଥିଲା।

ସେହିପରି ଭାବେ ଏହି ଅବସରରେ ସେଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଯାହା ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥିଲା। ଦଶହରା ବଳଦ ଶୋଭାଯାତ୍ରା ଆସି ମା ଙ୍କ ଆର୍ଶୀବାଦ ନେଲା ପରେ ଏହି ରାବଣ ପୋଡି କାର୍ଯ୍ୟକ୍ରମ ସେଠାରେ ଆରମ୍ଭ ହୋଇଥିଲା। ରାବଣ ପୋଡି ସହିତ ବିଭିନ୍ନ ରଙ୍ଗ, ବେରଙ୍ଗର ଆତସବାଜିରେ ପୀଠ ପ୍ରକମ୍ପିତ ହୋଇଥିଲା। ଦର୍ଶକମାନେ ଏହି କାର୍ଯ୍ୟକ୍ରମକୁ ବେଶ ମନ ଭରି ଦେଖି ମଜା ଉଠାଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ସହିତ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କର ସହଯୋଗ ରହିଥିଲା ।

ଏହି ଦଶହରା ବଳଦ ପୂଜା, ପରମ୍ପରା ଓ ଶୋଭାଯାତ୍ରା କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନେ ସେଠାରେ ରୁଣ୍ଡ ହୋଇଥିଲେ। ସେହିପରି ଏଠାରେ ଲୋକମାନେ ଦଶହରା ବଳଦ ଦେଖିବା ସହିତ ମା ଙ୍କୁ ଦର୍ଶନ କରି ନିଜ ମନ ପସନ୍ଦର ସ୍ୱାଦିଷ୍ଟ ଖାଦ୍ୟ ଓ ଜିନିଷ ପତ୍ର କିଣି ଘରକୁ ଯାଇଥିଲେ । ବାସ୍ତବିକ ଏହି ନିଆରା ପରମ୍ପରା ସାମ୍ପ୍ରତିକ ସମାଜରେ ଏକ ନୂଆ ନିଦର୍ଶନ କହିଲେ ଅତୁକ୍ତି ହେବନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.