Below header

ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟିକେଟ୍‌ ବିକ୍ରିରୁ ୫ କୋଟି ଟଙ୍କା ହଡ଼ପ କରିନେଲା ଏଜେନ୍ସି, ଥାନାରେ ମାମଲା

ଅହମ୍ମଦ : ଗୁଜୁରାଟ ସ୍ଥିତ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟିକେଟ ବିକ୍ରି ଅର୍ଥ ହଡ଼ପ ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଅର୍ଥ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର କଲେକ୍‌ସନ୍‌ ଏଜେନ୍ସି ହଡ଼ପ କରିଥିବା ନେଇ ଗୁଜୁରାଟ କେଭେଡିଆ ଥାନାରେ ବୁଧବାର ଅଭିଯୋଗ ହୋଇଛି । ପୋଲିସ୍‌ ରିପୋର୍ଟ ଅନୁଯାୟୀ, ଟିକେଟ କଲେକ୍‌ସନ ଏଜେନ୍ସି ୨୦୧୮ ନଭେମ୍ବର ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ଆଦାୟ କରିଥିଲା ।

ହେଲେ ଏଜେନ୍ସି ଏହାକୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟିମ୍ୟାନେଜ୍‌ମେଣ୍ଟ ନାମରେ ଥିବା ବ୍ୟାଙ୍କ୍‌ ଏକାଉଣ୍ଟରେ ଡିପୋଜିଟ୍‌ କରିନଥିଲା । ଡିପୋଜିଟ୍‌ ହୋଇ ନଥିବା ଏହି ଅର୍ଥର ପରିମାଣ ୫,୨୪,୭୭,୩୭୫ ଟଙ୍କା ହେବ ବୋଲି ପୋଲିସ୍‌ କହିଛି । ଟିକେଟ ଆଦାୟ କରୁଥିବା ଏଜେନ୍ସି ନାମରେ ପୋଲିସ୍‌ ଆଇପିସି ୪୨୦, ୪୦୬ ଓ ୧୨୦-ବି ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି ।

statue of unity

ପ୍ରକାଶଯୋଗ୍ୟ, ଗୁଜୁରାଟ କେଭାଡିଆ ଠାରେ ଥିବା ସର୍ଦ୍ଦର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟି ୨୦୧୮ ମସିହା ଅକ୍ଟୋବର ମାସରେ ଉନ୍ମୋଚିତ ହୋଇଥିଲା । ଏହା ପରଠାରୁ ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା । ଏହାର ଟିକେଟ କାଟିବା ଭାର ଏକ ଘରୋଇ ଏଜେନ୍ସିକୁ ଦିଆଯାଇଥିଲା । ଉକ୍ତ ଏଜେନ୍ସି ପ୍ରତ୍ୟେକ ଦିନ ଏଥିରୁ ହେଉଥିବା ଆୟ ଅର୍ଥ ପରଦିନ ବ୍ୟାଙ୍କରେ ଡିପୋଜିଟ୍‌ କରିବା କଥା । ହେଲେ ଏଜେନ୍ସି ତାହା କରିନଥିଲା । ହଡ଼ପ ହୋଇଥିବା ଅର୍ଥ ପ୍ରାୟ ୫ କୋଟିରୁ ଅଧିକ ହେବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.