Below header

ବିଶ୍ୱ ସାମ୍ନାକୁ ଆସିଲା ପୁଣି ଏକ ମିଛ! ଗଲୱାନ ହିଂସା ବେଳେ ବରଫ ନଦୀରେ ଭାସି ଯାଇଥିଲେ ଚୀନର ୩୮ ସୈନିକ; ହେଲେ କୁହାଯାଇଥିଲା ମାତ୍ର ୪

୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରୁ ଆସିଛି ସାଂଘାତିକ ସତ। ଚୀନ ନିଜ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଦାବି ହୋଇ ଆସୁଥିବା ବେଳେ ଏବେ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହୋଇଛି। ସଂଘର୍ଷ ବେଳେ ୩୮ରୁ ଅଧିକ ପିଏଲଏ ସୈନ୍ୟ ନଦୀରେ ଭାସି ଯାଇଥିବା ଦି କଲେକ୍‌ସନ୍‌ସରେ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ମାତ୍ର ୪ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ପିଏଲଏ ସ୍ପଷ୍ଟ କରିଥିଲା। ରିପୋର୍ଟ ପ୍ରକାଶ ପରେ ଚୀନର ମିଛ ପୁଣି ଥରେ ବିଶ୍ୱ ସାମ୍ନାକୁ ଆସିଛି।

ଘଟଣା ଦିନ ରାତିରେ କ’ଣ ହୋଇଥିଲା, କେଉଁ କାରଣରୁ ସଂଘର୍ଷର ସୂତ୍ରପାତ ହୋଇଥିଲା, ସେ ନେଇ ବହୁ ତଥ୍ୟ ଚୀନ ଦ୍ୱାରା ଲୁଚା ଯାଇଥିବା ରିପୋର୍ଟରେ ଦାବି କରାଯାଇଛି। ଗଲୱାନ ସଂଘର୍ଷ ପରେ ଚୀନ ବିଶ୍ୱ ସମୁଦାୟ ଆଗରେ ବହୁ ମନଗଢା କାହାଣୀ କହିଥିବା କୁହାଯାଇଛି। ଏପରି କି, ଗଲୱାନ ସଂଘର୍ଷ ନେଇ ଚୀନ ମିଡିଆରେ ପ୍ରକାଶିତ ରିପୋର୍ଟକୁ ପରେ ୱେବସାଇଟରୁ ହଟାଇ ଦିଆଯାଇଥିବା ଦି କଲେକ୍‌ସନ୍‌ସରେ ପ୍ରକାଶ ପାଇଛି। ଦୀର୍ଘ ୪ ଦଶନ୍ଧି ପରେ ୨୦୨୦ ଜୁନରେ ଭାରତ ଓ ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା।

ଗଲୱାନରେ କାହିଁକି ହୋଇଥିଲା ସଂଘର୍ଷ

୨୦୨୦ ମସିହା ଏପ୍ରିଲ-ମେ’ ମାସରେ ଚୀନ ପୂର୍ବ ଲଦାଖ ସାମ୍ନା ଅଞ୍ଚଳରେ ସାମରିକ ଅଭ୍ୟାସ ବାହାନାରେ ସୈନିକମାନଙ୍କୁ ଏକାଠି କରିଥିଲା। ଏହାପରେ ଅନେକ ସ୍ଥାନରେ ଅନୁପ୍ରବେଶ ଘଟଣା ଘଟିଥିଲା। ଭାରତ ସରକାର ଚୀନକୁ ଜବାବ ଦେବା ପାଇଁ ଏହି ଅଞ୍ଚଳରେ ପାଖାପାଖି ସମାନ ସଂଖ୍ୟକ ସୈନିକମାନଙ୍କୁ ନିୟୋଜିତ କରି ଦେଇଥିଲେ। ପରିସ୍ଥିତି ଏତେ ଖରାପ ହୋଇ ଯାଇଥିଲା ଯେ ୪ ଦଶନ୍ଧିରୁ ଅଧିକ ସମୟ ପରେ LACରେ ଭାରତ ଓ ଚୀନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଜୁନ୍ ୧୫ରେ ଗଲୱାନ୍ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.