ଭାଇରାଲ ହେଉଛି ଅମିତ୍ ଶାହଙ୍କ ଭାଷଣର ନକଲି ଭିଡିଓ, ଅଭିଯୋଗ ପରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ
ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବୀୟ ଏହି ଭିଡିଓକୁ ନେଇ ତେଲେଙ୍ଗାନା କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି ।

ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବୀୟ ଏହି ଭିଡିଓକୁ ନେଇ ତେଲେଙ୍ଗାନା କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି । ସେ ‘X’ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ତେଲେଙ୍ଗାନା କଂଗ୍ରେସ ସୋସିଆଲ ମିଡିଆରେ ଏକ ଏଡିଟେଡ୍ ଭିଡିଓ ସେୟାର କରିଛି । ଏହା ସମ୍ପୂର୍ଣ୍ଣ ନକଲି ଏବଂ ଏହାଦ୍ୱାରା ହିଂସା ହେବାର ସମ୍ଭାବନା ରହିଛି’ ।
ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଅମିତ ଶାହଙ୍କ ନକଲି ଭିଡିଓ ସେୟାର ମାମଲାରେ ରବିବାର ଏକ ମାମଲା ରୁଜୁ କରିଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଭିଯୋଗ କରିଥିଲା । କହି ରଖୁଛୁ ଯେ ଅମିତ ମାଲବୀୟ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ଏସ୍ସି/ଏସ୍ଟି ଏବଂ ଓବିସିର ସଂରକ୍ଷଣ ଶେଷ କରିବା ବିଷୟରେ କିଛି କହି ନାହାନ୍ତି । ଏହି ନକଲି ଭିଡିଓକୁ ଯିଏ ପୋଷ୍ଟ କରିଛନ୍ତି, ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ଏଥିପାଇଁ ସେ କଂଗ୍ରେସକୁ କଡ଼ା ଟାର୍ଗେଟ୍ କରିଛନ୍ତି ।
ସ୍ପେଶାଲ ବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ ମାମଲା ପଞ୍ଜୀକରଣ ପରେ ସାରା ଦେଶରେ ଗିରଫଦାରୀର ଆଶଙ୍କା ରହିଛି । ଭାରତୀୟ ସାଇବର କ୍ରାଇମ୍ କୋଅର୍ଡିନେସନ ସେଣ୍ଟରର ଅଧିକାରୀ ସିଙ୍କୁ ଶରଣ ସିଂ କହିଛନ୍ତି ଯେ କିଛି ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଭିଡିଓଗୁଡିକ ଯୋଗୁ ଶାନ୍ତି ଏବଂ ଆଇନ ଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଦିଲ୍ଲୀ ପୋଲିସ ଯେତେବେଳେ ଏହି ଭିଡିଓ ଯାଞ୍ଚ କରିଥିଲା, ସେତେବେଳେ ଜଣାପଡ଼ିଥିଲା କି, ଫେସବୁକ୍, X ସମେତ ଅନେକ ସୋସିଆଲ୍ ପ୍ଲାଟଫର୍ମରେ ଏହି ଭିଡିଓ ରହିଛି । ଏହାପରେ ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ବିକୃତ ମାନସିକତା ସହିତ ଏହି ଭିଡିଓ ତିଆରି କରାଯାଇଛି । ଏ ନେଇ ପୋଲିସ ଆଇପିସି ଧାରା ୧୫୩, ୧୫୩ଏ, ୪୬୫, ୪୬୯ ଏବଂ ୬୬ ଆଇଟି ଆକ୍ଟ ଅଧୀନରେ ମାମଲା ପଞ୍ଜିକୃତ କରିଛି । ଏହି ଘଟଣାରେ ଭିଡିଓ ତିଆରି କରିଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି ।