Below header

‘ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ’ ଅଫିସ୍‌ରେ ଏମିତି ପୋଷ୍ଟର କାହିଁକି ମାରିଲେ ଏହି ଇଞ୍ଜିନିୟର?

ଆଜିକା ସମାଜରେ ସଚ୍ଚୋଟ ଲୋକ ମିଳିବା ବହୁତ କଷ୍ଟ। ବର୍ତ୍ତମାନ ଲୋକମାନେ କମ୍‌ ସମୟରେ ବିନା ପରିଶ୍ରମରେ ଟଙ୍କା ରୋଜଗାର କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। କାହାକୁ ଠକି ତ ଆଉ କାହାଠୁ ଜୋର୍‌ ଜବରଦସ୍ତ ଟଙ୍କା ଆଣି ଲୋକେ ନିଜ ସମ୍ପତ୍ତି ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ଅଧିକାଂଶ ଲୋକ ପର ଧନକୁ ମିଛ ସତ କହି ଅବା ଲୋକଙ୍କୁ ଠକି ଧନୀ ହେଉଥିବା ନଜିର ରହିଛି। କିନ୍ତୁ ଆଜି ମଧ୍ୟ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସଚ୍ଚୋଟତାର ସହ କାମ କରିବାକୁ ପସନ୍ଦ କରିଥାନ୍ତି। ଯେତେ ବାଧାବିଘ୍ନ ଆସୁ ପଛେ ସେମାନେ ଭ୍ରଷ୍ଟାଚାରକୁ ଆଦୌ ସମର୍ଥନ କରିନଥାନ୍ତି। ସେହିଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ପୋଡେତି ଅଶୋକ।

ତେଲେଙ୍ଗାନାର କରିମନଗର ଜିଲ୍ଲା ମୁଖ୍ୟାଳୟରେ ନର୍ଥେନ୍‌ ପାଓ୍ଵାର ଡିଷ୍ଟ୍ରିବ୍ୟୁସନ୍‌ କର୍ପୋରେସନ୍‌ ଲିମିଟେଡ୍‌ (NPDCL)ର ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟର (ADE) ଭାବେ କାର୍ଯ୍ୟରତ ଅଶୋକ ଲାଞ୍ଚ ନିଅନ୍ତି ନାହିଁ କି ଦିଅନ୍ତି ନାହିଁ। ସେ ଜଣେ ସଚ୍ଚୋଟ କର୍ମଚାରୀ ବୋଲି ନିଜ ଅଫିସ ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ପୋଷ୍ଟର ମଧ୍ୟ ମାରିଛନ୍ତି। ଏଭଳି ପୋଷ୍ଟର ମାରିବା ପଛରେ ମଧ୍ୟ ଏକ କାରଣ ରହିଛି।

ପ୍ରଥମେ ଯେତେବେଳେ ଅଶୋକଙ୍କ ପୋଷ୍ଟିଂ ହେଲା ସେତେବେଳେ ଲୋକେ ତାଙ୍କୁ ନିଜ କାମ ଜଲ୍‌ଦି କରିବା ପାଇଁ ଲାଞ୍ଚ ଯାଚୁଥିଲେ। କିନ୍ତୁ ସେ ଲାଞ୍ଚ ନେବାକୁ ମନା କରିଦେଉଥିଲେ। ଏଭଳି ବାରମ୍ବାର ହେବାରୁ କିଛି ଗୁଣ୍ଡା ତାଙ୍କୁ ଧମକ ଦେବା ସହ ମାରପିଟ୍‌ ମଧ୍ୟ କରିଥିଲେ। ଲୋକଙ୍କ ଦ୍ୱାରା ପ୍ରତିଦିନ ଏଭଳି ଧମକ ଚମକ ଶୁଣିଶୁଣି ଶେଷରେ ଅଶୋକ ନିଜ ଅଫିସ୍‌ରେ ସେ ଦୁର୍ନୀତିଗ୍ରସ୍ତ ନୁହଁନ୍ତି ବୋଲି ପୋଷ୍ଟର ମାରିଛନ୍ତି।

ଏହାସହ ପଢ଼ନ୍ତୁ: ‘ମମତା’ ଯୋଜନା ଯୋଗୁଁ ଓଡ଼ିଶା ଆଗରେ, ଗର୍ଭବତୀ ଓ ଶିଶୁଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ନମ୍ବର : ରିପୋର୍ଟ

ଅଶୋକଙ୍କ କହିବାନୁସାରେ କେହି ଜଣେ ଲାଞ୍ଚ ନେଲେ ଲୋକମାନେ ପୂରା ବିଭାଗକୁ ଦୁର୍ନୀତିଗ୍ରସ୍ତ ବୋଲି କହିଥାନ୍ତି। କିନ୍ତୁ ଏଭଳି ଭାବିବା ଭୁଲ୍‌। ସବୁ ଅଫିସର ଆଦୌ ଦୁର୍ନୀତିଗ୍ରସ୍ତ ବା ଲାଞ୍ଚୁଆ ନୁହଁନ୍ତି। ଆଜି ବି କିଛି ଲୋକ ନିଜ କାମକୁ ଠିକ୍‌ ଭାବେ କରିବାକୁ ପସନ୍ଦ କରିଥାନ୍ତି ବୋଲି କହିଛନ୍ତି ଅଶୋକ।

ପ୍ରାୟ ୪୦ ଦିନ ହେବ ସେ ଏହି ପୋଷ୍ଟର ମାରିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା। ଏଭଳି ଗୁଣ ପାଇଁ ଲୋକମାନେ ଅଶୋକଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ବହୁଳ ଭାବେ ସମର୍ଥନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.