Below header

ହସ୍ପିଟାଲରେ ଡବଲ୍‌ ମର୍ଡର! ଅପରେସନ ଥିଏଟରରେ ଝିଅ ଓ ବେଡ୍‌ ତଳେ ମିଳିଲା ମା’ର ମୃତଦେହ…ଆନାସ୍ଥେସିଆର ଓଭରଡୋଜ୍‌ ଦେଇ କରାଯାଇଛି ହତ୍ୟା

ଗୁଜରାଟର ଅହମ୍ମଦାବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲରେ ମା’ ଓ ଝିଅଙ୍କ ମୃତଦେହ ମିଳିଛି। କୁହାଯାଉଛି କି, ଉଭୟଙ୍କୁ ହତ୍ୟା କରାଯାଇଛି। ଝିଅର ମୃତଦେହ ଅପରେସନ ଥିଏଟରର ଆଲମିରା ଭିତରୁ ମିଳିଥିବା ବେଳେ ମା’ର ମୃତଦେହ ବେଡ୍‌ ତଳୁ ଉଦ୍ଧାର ହୋଇଥିଲା।

ସୂଚନା ମୁତାବକ, ଏଠାରେ ଥିବା ଏକ ଘରୋଇ ହସ୍ପିଟାଲ ଭିତରୁ ବହୁତ ଦୁର୍ଗନ୍ଧ ଆସୁଥିଲା। ପରେ ଯାଞ୍ଚ କରାଯିବାରୁ ଅପରେସନ ଥିଏଟରର ଆଲ୍‌ମିରା ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ହସ୍ପିଟାଲର କର୍ମଚାରୀମାନେ ଆଲ୍‌ମିରା ଖୋଲୁ ଖୋଲୁ ହିଁ ଭିତରର ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ଯାଇଥିଲେ। କାରଣ, ଭିତରର ଦୃଶ୍ୟ ଯାହା ଥିଲା, ତାହା ବହୁତ ଭୟଙ୍କର ଥିଲା। ଆଲ୍‌ମିରା ଭିତରେ ୩୦ ବର୍ଷୀୟା ଜଣେ ମହିଳାଙ୍କ ମୃତଦେହ ରଖା ହୋଇଥିଲା।

ପରେ ଯେତେବେଳେ ଆଖାପାଖ ସ୍ଥାନକୁ ଯାଞ୍ଚ କରାଯାଇଥିଲା, ତ ବିଛଣା ତଳେ ଆଉ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା, ଯିଏକି ୩୦ ବର୍ଷୀୟା ମୃତ ମହିଳାଙ୍କ ମା’ ବୋଲି କୁହାଯାଉଛି। ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଥିଲେ।

ଏ ନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପରେ ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର କହିବା ହେଲା, ହସ୍ପିଟାଲରେ ଡବଲ୍‌ ମର୍ଡର ହୋଇଛି। ଉଭୟ ମା’ ଓ ଝିଅଙ୍କୁ ଆନାସ୍ଥେସିଆର ଓଭରଡୋଜ୍‌ ଦେଇ ହତ୍ୟା କରାଯାଇଛି। ବର୍ତ୍ତମାନ ପୋଲିସ ମୃତଦେହ ଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏହା ମଧ୍ୟ କହିଛି କି, ମା’ର ଶରୀରରେ ଗଳା ଚିପିବାର ଚିହ୍ନ ମଧ୍ୟ ରହିଛି। ଅଧିକାରୀମାନେ କହିଛନ୍ତି, ଏହି ପୂରା ମାମଲାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.