Below header

ବ୍ରେନ୍‌ ଡେଡ୍‌ ହେବା ପରେ ୭ ଜଣଙ୍କୁ ପୁନର୍ଜୀବନ ଦେଲା ଅଢ଼େଇ ବର୍ଷର ଶିଶୁ, କରିଗଲା ରେକର୍ଡ

ଅଢ଼େଇ ବର୍ଷର ଶିଶୁ ବଞ୍ଚାଇଲା ୭ ଜୀବନ। ନିଜ ଜୀବନ ବଦଳରେ ୭ ଜଣଙ୍କୁ ପୁନର୍ଜୀବନ ଦେଇଛି ଅଢେଇ ବର୍ଷର ପୁଅ ୟଶ। ଖେଳୁଥିବା ବେଳେ ଦୁଇ ମହଲା କୋଠାରୁ ପଡ଼ି ବ୍ରେନ୍‌ ଡେଡ୍‌ ଘୋଷିତ ହୋଇଥିଲା ୟଶ। ପରେ ତା’ ଶରୀରର ଅଙ୍ଗକୁ ଦାନ କରିବାକୁ ବାପା ସଞ୍ଜୀବ ଓଝା ଓ ମା’ ଅର୍ଚ୍ଚନା ନିଷ୍ପତ୍ତି ନେଇଥିଲେ। ଫଳରେ ୭ ଜଣଙ୍କ ଜୀବନ ବଞ୍ଚିଯାଇଛି।

ଗୁଜରାଟର ସୁରତ ଜିଲ୍ଲାର ସଞ୍ଜୀବ ଓଝା ଓ ଅର୍ଚ୍ଚନାଙ୍କ ଅଢ଼େଇ ବର୍ଷର ପୁଅ ୟଶ ଓଝା ପଡ଼ୋଶୀ ଘରେ ଖେଳୁଥିବା ବେଳେ ଅସାବଧାନତାବଶତଃ ବାଲକୋନୀରୁ ଖସିପଡ଼ିଥିଲା। ଗୁରୁତର ଅବସ୍ଥାରେ ତାକୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତା’ ବ୍ରେନ୍‌ ଡେଡ୍‌ ହୋଇଥିବା କହିଥିଲେ। ଏହା ପରେ ବାପା ମା’ ଛାତିକୁ ପଥର କରି ପୁଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମୃତ୍ୟୁ ପୂର୍ବରୁ ସବୁଠାରୁ କମ୍‌ ବୟସରେ ଅଙ୍ଗଦାନ କରିବାରେ ୟଶ ରେକର୍ଡ କରିଯାଇଛି। ୟଶ ମୃତ୍ୟୁ ପୂର୍ବରୁ ହୃତ୍‌ପିଣ୍ଡ, ଲିଭର, ଫୁସ୍‌ଫୁସ୍‌, କିଡ୍‌ନୀ ଓ ଆଖି ଦାନ କରିଛି।

brain dead

ୟଶର ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ବିମାନ ଯୋଗେ ସୁରତରୁ ଚେନ୍ନାଇ ପଠାଯାଇଥିଲା। ଋଷିଆର ଜଣେ ୪ ବର୍ଷୀୟ ଶିଶୁ ଶରୀରରେ ୟଶର ହୃତ୍‌ପିଣ୍ଡ ପ୍ରତିରୋପଣ କରାଯାଇଥିବା ବେଳେ ଫୁସ୍‌ଫୁସ୍‌କୁ ୟୁକ୍ରେନ୍‌ର ଜଣେ ୪ ବର୍ଷର ଶିଶୁ ଶରୀରରେ ଲଗାଯାଇଛି। ଚେନ୍ନାଇରେ ହିଁ ଉଭୟ ପ୍ରତିରୋପଣ କରାଯାଇଛି। ସେହିପରି ୟଶର କିଡ୍‌ନୀ ଦୁଇଟିକୁ ଜଣେ ୧୩ ବର୍ଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି। ଏଥିସହ ଲିଭରକୁ ଏକ ୨ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ବଞ୍ଚାଯାଇଛି।

ଏହି ଅଙ୍ଗଦାନ ପ୍ରକ୍ରିୟାରେ‘ଡୋନେଟ୍‌ ଲାଇଫ୍‌’ ଏନ୍‌ଜିଓ ବଡ଼ ଭୂମିକା ଗ୍ରହଣ କରିଛି। ଏନେଇ ସଂସ୍ଥାର ପ୍ରତିଷ୍ଠାତା ନୀଲେଶ ମାଣ୍ଡଲେଓ୍ଵାଲା କହିଛନ୍ତି, ଓଝା ପରିବାର ପାଇଁ ଏହି ନିଷ୍ପତ୍ତି ବହୁତ କଷ୍ଟକର ଥିଲା। ପୁଅର ବ୍ରେନ୍‌ ଡେଡ୍‌ ହେବା ପରେ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ମଧ୍ୟ ଅନ୍ୟମାନଙ୍କ ପାଇଁ ମହତ କାର୍ଯ୍ୟ କରିଛନ୍ତି। ଗୋଟିଏ ୟଶ ସିନା ଯାଇଛି, କିନ୍ତୁ ୭ଟି ଜୀବନ ବଞ୍ଚାଇଛି ବୋଲି କହିଛନ୍ତି ନୀଲେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.