Below header

ରାଘବ ଚଢ଼ାଙ୍କୁ ପଳାତକ ବିଜୟ ମାଲ୍ୟାଙ୍କ ସହ ତୁଳନା, ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କଲା ପଞ୍ଜାବ ପୋଲିସ

ପଞ୍ଜାବ ପୋଲିସ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କରିଛି । ସମ୍ପୃକ୍ତ ଚ୍ୟାନେଲ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ତୁଳନା କରିଥିବା ଅଭିଯୋଗ ହୋଇଛି ।

ପଞ୍ଜାବ ପୋଲିସ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କରିଛି । ସମ୍ପୃକ୍ତ ଚ୍ୟାନେଲ ଆମ୍ ଆଦମୀ ପାର୍ଟି (ଏଏପି)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ତୁଳନା କରିଥିବା ଅଭିଯୋଗ ହୋଇଛି । ଚଢ଼ାଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରିତ କରିବା ଅଭିଯୋଗରେ ପଞ୍ଜାବର ଲୁଧିଆନା ପୋଲିସ ଏହି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଆପ୍‌ କର୍ମୀ ବିକାଶ ପରାଶର ଏ ନେଇ ୟୁଟ୍ୟୁବ୍ ଚ୍ୟାନେଲ୍ ‘କ୍ୟାପିଟାଲ୍ ଟିଭି’ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ବିକାଶ ହେଉଛନ୍ତି, ଲୁଧିଆନା ଲୋକସଭା ଆସନରୁ ଆପ୍‌ ପ୍ରାର୍ଥୀ ଅଶୋକ ପପ୍ପି ପରାଶରଙ୍କ ପୁଅ ।

ୟୁଟ୍ୟୁବ୍‌ ଚ୍ୟାନେଲ ମାନହାନି ଏବଂ ବିଭ୍ରାନ୍ତିକର କଣ୍ଟେଣ୍ଟ୍‌ ବ୍ୟବହାର କରୁଥିବା ବିକାଶ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ କ୍ୟାପିଟାଲ ଟିଭି ଚ୍ୟାନେଲରେ ପ୍ରସାରିତ ମିଥ୍ୟା ଭିଡିଓ ଏବଂ କଣ୍ଟେଣ୍ଟ୍‌ ସାର୍ବଜନିକ ଶାନ୍ତି ଓ ସଦ୍‌ଭାବକୁ କ୍ଷତି କରିପାରେ । ଜାତି, ଧର୍ମ, ବର୍ଣ୍ଣ ଏବଂ ସମ୍ପ୍ରଦାୟ ଆଧାରରେ ଏହା ଦେଶର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବାର ମଧ୍ୟ ଆଶଙ୍କା ରହିଛି ।

ଏଫ୍‌ଆଇଆର୍‌ ମୁତାବକ, ଚ୍ୟାନେଲ ଦାବି କରିଛି ଯେ ଲୋକଙ୍କ ଟଙ୍କା ନେବା ପରେ ବିଜୟ ମାଲ୍ୟା ବ୍ରିଟେନ ପଳାଇଛନ୍ତି, ଏହିପରି ଜଣେ ରାଜ୍ୟସଭା ସଦସ୍ୟ ପଞ୍ଜାବ ଲୋକମାନଙ୍କ ଚିନ୍ତା ଛାଡ଼ି ନିଜ ଆଖି ଚିକିତ୍ସା ବାହାନାରେ ଇଂଲଣ୍ଡ ପଳାଇଛନ୍ତି । ଏହା ସହିତ ଉକ୍ତ ଚ୍ୟାନେଲ ଆପ୍‌ ବିରୋଧରେ ଅଭିଯୋଗ ଆଣିଛି କି, ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କୁ ଟିକେଟ୍‌ ବିକ୍ରି କରାଯାଉଛି ।

ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ଲୁଧିଆନାର ଶିମଲାପୁରୀ ଥାନାରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ଆଇପିସି ଧାରା ୧୫୩ (ଏ), ୪୬୯, ୫୦୫ ଏବଂ ଆଇଟି ଆକ୍ଟ ଧାରା ୬୬ ଅଧୀନରେ ଏହି ମାମଲା ରୁଜୁ କରାଯାଇଥିବା ଡିସିପି ଜସକିରନ୍‌ଜିତ ସୂଚନା ଦେଇଛନ୍ତି । ଅଭିଯୋଗକାରୀଙ୍କ କହିବା ହେଲା, ୟୁଟ୍ୟୁବ୍‌ ଚ୍ୟାନେଲର ମିଥ୍ୟା ଭିଡିଓ ଶାନ୍ତି ଓ ସଦ୍‌ଭାବନାକୁ ବିଗାଡ଼ୁଛି । ତେଣୁ ଏହାକୁ ତୁରନ୍ତ ଡିଲିଟ୍‌ କରାଯିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.