ଆସନ୍ତାକାଲି ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ଆସନ୍ତାକାଲି ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ନକ୍ସଲ ଅଧ୍ୟୁଷିତ ୮ଟି ଜିଲ୍ଲାର ୧୮ଟି ଆସନରେ ସକାଳ ୭ଟାରୁ ଦିନ ୩ ପର୍ଯ୍ୟନ୍ତ ଭୋଟିଂ ହେବ । ୧୮ଟି ବିଧାନସଭା ଆସନ ଭିତରେ ରହିଛି ରାଜନନ୍ଦଗାଓ ଜିଲ୍ଲାର ୬ଟି ଓ ମାଓ ଅଧ୍ୟୁଷିତ ବସ୍ତର ଅଞ୍ଚଳର ୧୨ଟି ବିଧାନସଭା କ୍ଷେତ୍ର । ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ୧୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ବସ୍ତର ଅଞ୍ଚଳରେ ୨୦ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ପ୍ରସ୍ତୁତ ଶେଷ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଇଭିଏମକୁ ମତଦାନ କେନ୍ଦ୍ରକୁ ପଠାଯାଇଛି ।

ସେହିପରି ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ଭୋଟ୍ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରୁ ସୁକମା ଜିଲ୍ଲାର ୪୦ଟି ବୁଥ୍ ଅତିସମ୍ବେଦନଶୀଳ ରହିଛି । ମାଓବାଦୀଙ୍କ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼କଡ଼ି କରାଯାଇଛି । ଏସ୍ଟିଏଫ, ଡିଆରଜି ଓ ସିଆରପିଏଫ ଯବାନ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ମତଦାନ ହେବ । କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ବାକି ୭୨ଟି ଆସନ ପାଇଁ ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହେବ ।

Leave A Reply

Your email address will not be published.