Below header

ପାକିସ୍ତାନରେ ଧର୍ଷଣକୁ ନେଇ ଆସିଲା ଆହୁରି କଡ଼ା ଆଇନ୍‌, ଅପରାଧୀଙ୍କୁ କେମିକାଲ ଟ୍ରିଟ୍‌ମେଣ୍ଟରେ କରାଯିବ ବନ୍ଧ୍ୟାକରଣ

ଇସ୍‌ଲାମ୍‌ବାଦ :  ଧର୍ଷଣ (ରେପ୍‌) କୁ ନେଇ ପାକିସ୍ତାନ ଏକ ଶକ୍ତ ଆଇନ ଲାଗୁ କରିବାକୁ ଯାଉଛି । ଏହି ନୂଆ ଆଇନ ଅନୁଯାୟୀ, ଅଧିକ ଥର କିମ୍ବା ବାରମ୍ବାର ଧର୍ଷଣ ଅପରାଧରେ ଜଡ଼ିତ ଥିବା ଅପରାଧୀଙ୍କ ଉପରେ କେମିକାଲ୍‌ ଟ୍ରିଟ୍‌ମେଣ୍ଟ କରାଯିବ । ଏହାଛଡ଼ା ଆଇନରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ଯେ ଧର୍ଷଣ ମାମଲାର ଫଇସଲା ଅତି ବେଶିରେ ୪ ମାସ ମଧ୍ୟରେ ପୂର୍ଣ୍ଣ କରାଯିବ । ଏହାଛଡ଼ା ଧର୍ଷଣ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିବାକୁ ମଧ୍ୟ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ ।

ପାକିସ୍ତାନର ଇମ୍ରାନ ସରକାର ଦେଶରେ ବଢ଼ୁଥିବା ଧର୍ଷଣ ଅପରାଧକୁ ଦେଖି ଏଭଳି କଠୋର ଆଇନ ଆଣିଛନ୍ତି । ତେବେ ସବୁଠାରୁ ବଡ଼ ବିଡ଼ମ୍ବନା ଯେ ଖୋଦ୍‌ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ନାମରେ ମଧ୍ୟ ଯୈାନ ଅପରାଧ ମାମଲା ରହିଛି । ୩ ମାସ ପୂର୍ବରୁ ଖୋଦ୍‌ ଇମ୍ରାନ୍‌ ଖାନ୍‌ ଏହି ଆଇନ ସମ୍ପର୍କରେ ଘୋଷଣା କରିଥିଲେ । ଯାହା ଉପରେ ତାଙ୍କ ପ୍ରଶାସନ ଆଜି ମୋହର ମାରିଛି । ମନ୍ତ୍ରୀ ମଣ୍ଡଳର ସ୍ୱୀକୃତି ପାଇବା ପରେ ପାକିସ୍ତାନର ରାଷ୍ଟ୍ରପତି ମଧ୍ୟ ଏଥିରେ ସ୍ୱାକ୍ଷର ମାରିଛନ୍ତି ।

 

PAK RAPE ANDOLAN

ଏହି ଆଇନ ଅନୁଯାୟୀ, ଧର୍ଷଣର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବ । ଏହାପରେ ରାଷ୍ଟ୍ରୀୟସ୍ତରରେ ଏକ ରେଜିଷ୍ଟର ତିଆରି କରାଯିବ । ଯେଉଁଥିରେ ବାରମ୍ବାର ଧର୍ଷଣ କରୁଥିବା ଅପରାଧୀଙ୍କର ରେକର୍ଡ ରହିବ ଏବଂ ଟ୍ରାଏଲର ୪ ମାସ ମଧ୍ୟରେ ଧର୍ଷଣ ମାମଲାର ଫଇସଲା କରାଯିବ । କେମିକାଲ ଟ୍ରିଟ୍‌ମେଣ୍ଟ ଏଇଥି ପାଇଁ କରାଯିବ କି ଏହିସବୁ ଅପରାଧୀଙ୍କ ଠାରେ ପ୍ରକାଶ ପାଉଥିବା କାମ ପ୍ରବଣତାକୁ ନଷ୍ଟ କରାଯିବ । ଏହାସହ ପୀଡ଼ିତାଙ୍କ ନାମ ପ୍ରକାଶ କରିବାକୁ ମଧ୍ୟ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି ଏହି ଆଇନରେ କୁହାଯାଇଛି ।

PAK CABINATE

କେମିକାଲ୍‌ ଟ୍ରିଟ୍‌ମେଣ୍ଟ କ’ଣ :

ରାସାୟନିକ ବନ୍ଧ୍ୟାକରଣ ଏପରି ଏକ ପ୍ରକ୍ରିୟା ଯେଉଁଥିରେ କାମ ଉତ୍ତେଜନାକୁ ଏକ ପ୍ରକାର ସବୁଦିନ ପାଇଁ ଶେଷ କରି ଦିଆଯାଇଥାଏ । ଏହାଦ୍ୱାରା ନା ଶରୀରର କୈାଣିସି ଅଙ୍ଗକୁ କଢ଼ାଯାଇଥାଏ ନା ବନ୍ଧ୍ୟାକରଣ କରାଯାଇଥାଏ । ଏହି ପ୍ରକ୍ରିୟା ଦ୍ୱାରା ମେଡିସିନ୍‌ ସହାୟତାରେ ଶରୀରରେ ଶୁକ୍ରାଣୁ ତିଆରି କରୁଥିବା ସ୍ତରକୁ କମାଇ ଦିଆଯାଇଥାଏ । ଫଳରେ ଉକ୍ତ ବ୍ୟକ୍ତି ଠାରେ ସବୁଦିନ ପାଇଁ କାମ ଉତ୍ତେଜନା ନଷ୍ଟ ହୋଇଯାଇଥାଏ ।

ପ୍ରକାଶଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ପାକିସ୍ତାନରେ ଜଣେ ମହିଳାଙ୍କୁ ତାଙ୍କର ଦୁଇ ପିଲାଙ୍କ ଉପସ୍ଥିତିରେ ଗଣ ଧର୍ଷଣ କରାଯାଇଥିଲା । ଯାହାକୁ ନେଇ ସାରା ଦେଶରେ କଡ଼ା ପ୍ରତିକ୍ରିୟା ସୃଷ୍ଟି ହେବା ସହ ଆନ୍ଦୋଳନ କରାଯାଇଥିଲା । ଯାହା ଫଳରେ ସରକାର ଏପରି କଡ଼ା ଆଇନ ଆଣିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.