Below header

କଣ ହେବ ଏମାନଙ୍କ ଅବସ୍ଥା, କେମିତି ବଢ଼ିବ ବାଦୁଡି ବଂଶ

ଯଦି ଏବେ ଏମାନଙ୍କ ସୁରକ୍ଷା ନହେବ ତେବେ ପରବର୍ତ୍ତୀ ପିଢ଼ୀ ଏମାନଙ୍କୁ ଆଉ ଦେଖିବାକୁ ପାଇବେନି, କେବଳ ଥିବ ଏମାନଙ୍କର ଫଟୋ ଚିତ୍ର ।

ଯାଜପୁର ଟାଉନ୍‌(କେନ୍ୟୁଜ) : କଣ ହେବ ବାଦୁଡିଙ୍କ ଅବସ୍ଥା । କେମିତି ବଢ଼ିବ ବାଦୁଡି ବଂଶ । ହଜାର ହଜାର ବାଦୁଡିଙ୍କ ଜୀବନ ଏବେ ବିପଦରେ । ହଁ ଆଜ୍ଞା ଏବେ ବାଜିରେ ଲାଗିଛି ଏହି ବିରଳ ପ୍ରାଣୀର ଜୀବନ । ପ୍ରାକୃତିକ ବିପର୍ଯ୍ୟୟରୁ ବାଦ ପଡୁ ନାହାଁନ୍ତି ଏହି ପ୍ରାଣୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କବାଟବନ୍ଧ ଠାରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ଶହ ଶହ ସଂଖ୍ୟାରେ ବାଦୁଡି । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିପଦରେ ପଡିଛି ଏମାନଙ୍କ ଜୀବନ । ଯଦି ଏବେ ଏମାନଙ୍କ ସୁରକ୍ଷା ନହେବ ତେବେ ପରବର୍ତ୍ତୀ ପିଢ଼ୀ ଏମାନଙ୍କୁ ଆଉ ଦେଖିବାକୁ ପାଇବେନି, କେବଳ ଥିବ ଏମାନଙ୍କର ଫଟୋ ଚିତ୍ର ।

କିଚିରି ମିଚିରି ଶବ୍ଦରେ ଫାଟି ପଡୁଛି ପରିବେଶ । ଗଛ ଡାଳରେ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଝୁଲି ରହିଛନ୍ତି ଏହି ବିରଳ ପ୍ରାଣୀ ବାଦୁଡି । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କବାଟବନ୍ଧ ଅଂଚଳର । ପାଣିପାଗ ପରିବର୍ତନ ପାଇଁ ବାଦୁଡି ବଂଶ ଏବେ ଲୋପ ପାଇବାକୁ ବସିଛି । ଗ୍ରାମବାସୀଙ୍କ ସୁରକ୍ଷାରେ କବାଟବନ୍ଧ ବଣିଆସାହି ନିକଟରେ ବହୁ ବର୍ଷ ଧରି ୩ ରୁ ୪ଟି ଗଛରେ ରହି ଆସୁଛନ୍ତି ହଜାର ହଜାର ସଂଖ୍ୟାର ବାଦୁଡି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଏକକାଳୀନ ଶହ ଶହ ବାଦୁଡି ଉଡି ଆସି ଏକ ଗଛ ଡାଳରେ ଆଶ୍ରୟ ନେଇଥିଲେ । ଦୁର୍ଭାଗ୍ୟବଶତଃ ଡାଳଟି ଭାଙ୍ଗିଯିବାରୁ ୧୫ରୁ ଅଧିକ ବାଦୁଡି ମୃତ୍ୟୁ ମୁଖରେ ପଡିଥିଲେ ଏବଂ ଅନେକ ଆହତ ମଧ୍ୟ ହୋଇଥିବା ଲକ୍ଷ୍ୟ କରାଯାଇଛି । ଜଳବାୟୁ ପରିବର୍ତ୍ତନ ତଥା ପ୍ରଚଣ୍ଡ ରୈାଦ୍ର ତାପ ସହିନପାରି ପ୍ରତିଦିନ କିଛି ନା କିଛି ବାଦୁଡି ମରି ତଳେ ପଡୁଛନ୍ତି । ମାତ୍ର ଏମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ସେଥିପାଇଁ ଏବେ ବାଜିରେ ଲାଗିଛି ଏହି ବିରଳ ପ୍ରାଣୀଙ୍କ ଜୀବନ ।

ପୂର୍ବରୁ ବିଭିନ୍ନ ଝଡ ବାତ୍ୟାରେ ହଜାର ହଜାର ବାଦୁଡି ମରିଯାଇଥିଲେ । ଅନେକ ନିଖୋଜ ମଧ୍ୟ ହୋଇ ଯାଇଥିଲେ । ସେବେ ଠାରୁ ଏଠାରେ ବାଦୁଡିଙ୍କ ସଂଖ୍ୟା କମିବାରେ ଲାଗିଛି । ବଣିଆସାହି ଗ୍ରାମବାସୀ, ସ୍ଥାନୀୟ ବ୍ୟବସାୟୀ ଓ ଯୁବକ ସଂଘ ବର୍ଷ ବର୍ଷ ଧରି ଏମାନଙ୍କୁ ସୁରକ୍ଷା ଦେଇଆସୁଛନ୍ତି । ଅନ୍ୟପକ୍ଷରେ ଶିକାରୀମାନେ ବେଧଡକ ଶିକାର କରି ଏହାର ମାଂସକୁ ବିକ୍ରୀ କରିଦେଉଥିବା ଅଭିଯୋଗ ହୋଇଛି । ବାଦୁଡି ମାଂସରେ ଅନେକ ଔଷଧୀୟ ଗୁଣ ରହିଥିବାରୁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି ଏବେ ଏମାନଙ୍କ ଉପରେ । ତେବେ ଯଥା ସମ୍ଭବ ସେମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଲୋକେ । ପାଣି ସିଞ୍ଚନ କରି ତାଙ୍କୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । ଶହ ଶହ ବର୍ଷ ଧରି ଏଠାରେ ରହି ଆସୁଥିବା ଏହି ବିରଳ ପ୍ରାଣୀଙ୍କ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ସଚେତନ ନାଗରିକ ମଞ୍ଚ । ତେବେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଝାଞ୍ଜି ପବନ ଯୋଗୁ ଏହି ବିରଳ ପ୍ରାଣୀ ବାଦୁଡି ବଂସ ବିପଦରେ ଥିବା ବେଳେ ପ୍ରଶାସନ ସ୍ତରରେ ଏମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.