Below header

ବର ପାଇଁ କନ୍ୟା ଘରର ସର୍ତ୍ତ, ଆମ ଝିଅକୁ ବାହା ହେବ ତ ଏଇ କାମ କର

କୋଲକାତା: ରାଜନେତାଙ୍କୁ ଝିଅ ଦେବାକୁ ମନା କଲେ ପରିବାର ଲୋକ। ବିବାହ କିମ୍ବା ଦଳ ମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ ବରପକ୍ଷକୁ କୁହାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ପଶ୍ଚିମବଙ୍ଗର ଜଣେ ବିଜେପି ନେତାଙ୍କୁ ଝିଅ ବାହା ଦେବାକୁ କନ୍ୟାର ପରିବାର ଲୋକ ରୋକଠୋକ୍‌ ମନା କରି ଦେଇଛନ୍ତି। ବିବାହ ପାଇଁ ସବୁ ପ୍ରସ୍ତୁତି ସରିବା ପରେ ଏଭଳି ଅଜବ ସର୍ତ୍ତ ରଖିଛନ୍ତି ପରିବାର ଲୋକ।

ସ୍ଥାନୀୟ କୁଚବିହାରର ଦିନହାତା ସବ୍‌ଡିଭିଜନ୍‌ ବାସିନ୍ଦା ଜୟପାଲଙ୍କ ବିବାହ ସେହି ଅଞ୍ଚଳର ଜଣେ ଝିଅ ସହ ସ୍ଥିର ହୋଇଥିଲା। ଉଭୟ ପରିବାରର ସହମତି କ୍ରମେ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା। ଏମିତିକି କେତେକ କର୍ମ ବି ସରିଥିଲା । କିନ୍ତୁ ଜୟପାଲ ଜଣେ ବିଜେପି ନେତା ବୋଲି ଜାଣିବା ପରେ କନ୍ୟାପକ୍ଷ ସେଠାରେ ଝିଅର ବିବାହ କରିବାକୁ ସମ୍ପୂର୍ଣ୍ଣ ମନା କରି ଦେଇଛନ୍ତି। କନ୍ୟା ଘର ପକ୍ଷରୁ ସର୍ତ୍ତ ରଖା ଯାଇଛି ଯେ ଯଦି ଜୟପାଲ ବିଜେପି ଦଳ ତ୍ୟାଗ କରିବେ ତେବେ ସେମାନେ ତାଙ୍କ ସହ ଝିକୁ ବାହା ଦେବେ । ନଚେତ ନୁହେଁ ।

ଏନେଇ କନ୍ୟାର ଭାଇ କହିଛନ୍ତି ଯେ ‘‘ପୁଅର ଘର, ପରିବାର ସବୁ କିଛି ଭଲ। ସେଠାରେ ବିବାହ କଲେ ମୋ ଭଉଣୀ ଖୁସିରେ ରହିବ। ମାତ୍ର ଆମର ଏକମାତ୍ର ସର୍ତ୍ତ ହେଉଛି ପୁଅ ରାଜନୀତି ଛାଡ଼ୁ।’’ ତେବେ ଗତ କିଛି ଦିନ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ବହୁ ରାଜନେତାଙ୍କୁ ହତ୍ୟା କରାଯାଇଥିବାରୁ ଝିଅ ଘର ଲୋକେ ଜଣେ ନେତା ସହ ଝିଅର ବିବାହ କରିବାକୁ ଚାହୁଁନଥିବା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଜୟପାଲ କୁଚ୍‌ ବିହାରର ଭାରତୀୟ ଜନତା ଯୁବା ମୋର୍ଚ୍ଚାର ସଚିବ ଭାବେ କାର୍ଯ୍ୟରତ। ବିବାହ ଭାଙ୍ଗିଯିବା ଆଶଙ୍କା କରି ବରପକ୍ଷ ଚିନ୍ତାରେ ଥିବା ବେଳେ ଏପଟେ ଜୟପାଲଙ୍କୁ ବିବାହ କରିବାକୁ କନ୍ୟା ଚାହୁଁଛି । ଏକଥା ଝିଅଟି ଫୋନ୍‌ରେ କହିଥିବା ବରର ଜଣେ ସାଙ୍ଗ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.