ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ଅସନ୍ତୋଷ ନିଆଁ, ଏସ୍ପି-RLD କର୍ମକର୍ତ୍ତାଙ୍କ ଉପରେ ପୋଲିସର ଲାଠି ଚାର୍ଜ

ଉତ୍ତରପ୍ରଦେଶ ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅସନ୍ତୋଷର ନିଆଁ ଥମିବାର ନାଁ ନେଉନିଁ । ହଥରସ୍ ଜିଲ୍ଲାର ବୁଲଗରି ଗାଁରେ ଅମାନବୀୟ ଘଟଣା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଶାନ୍ତି ବଜାୟ ରଖିବାକୁ ପୂରା ଗାଁକୁ ପୋଲିସ କଡନ୍ରେ ରଖାଯାଇଛି । ମାମଲାର ଯାଞ୍ଚ ପାଇଁ ଏସ୍ଆଇଟି ଟିମ୍ ଗାଁରେ ପହଞ୍ଚି ପୀଡ଼ିତା ପରିବାରର ବୟାନ ରେକର୍ଡ କରିଛି । ଗତକାଲି ବହୁ ଘମାସାନ୍ ପରେ ପୀଡ଼ିତାଙ୍କ ପରିବାକୁ ଭେଟିବାକୁ ଯାଇଥିଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ।
ଏହାପରେ ଆଜି ଅନ୍ୟ ଦଳର ନେତାମାନେ ପୀଡ଼ିତାଙ୍କ ଗାଁରେ ପହଞ୍ଚୁଛନ୍ତି । ଏହି ସମୟରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ସମାଜବାଦୀ ପାର୍ଟିର ଏକ ଡେଲିଗେସନ୍ ଟିମ୍ ପୀଡ଼ିତା ପରିବାକୁ ଭେଟିବାକୁ ଯିବା ବେଳେ କର୍ମକର୍ତ୍ତାଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିଛି । ସେପଟେ ପୋଲିସ-ଆର୍ଏଲ୍ଡି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ପୋଲିସ କହିବା କଥା କେବଳ ୫ ଜଣଙ୍କୁ ଅନୁମତି ଥିବା ବେଳେ ଅଧିକ ସଂଖ୍ୟାରେ କର୍ମକର୍ତ୍ତାଙ୍କ ଭିଡ଼ ହେବାରୁ ଏଭଳି ପରିସ୍ଥିତି ଉପୁଜିଥିଲା ।