କାଶୀର ମଣିକର୍ଣ୍ଣିକା ଘାଟ: ଏଠି ଜଳନ୍ତା ଚିତା ଆଗରେ ରାତି ତମାମ ନୃତ୍ୟ କରନ୍ତି ବେଶ୍ୟା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କାଶୀର ମଣିକର୍ଣ୍ଣିକା ଘାଟ ଦୁନିଆର ଏକମାତ୍ର ଶ୍ମଶାନ, ଯେଉଁଠି ଚିତାର ନିଆଁ କେବେ ଥଣ୍ତା ହୋଇ ନ ଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଘାଟରେ ୩୬୫ ଦିନରେ ଏମିତି ଗୋଟିଏ ରାତି ଆସିଥାଏ, ଯାହା ଶ୍ମଶାନ ପାଇଁ ଉତ୍ସବର ରାତି ହୋଇଥାଏ। ଏହି ରାତିରେ ଶ୍ମଶାନରେ ଏକାସାଥୀରେ ଚିତା ସବୁ ଜଳିଥାଏ ଏବଂ ଘୁଙ୍ଗୁର ଓ ଉଚ୍ଚ ସ୍ୱର ସଙ୍ଗୀତ ଭିତରେ ବେଶ୍ୟାମାନେ ନାଚିଥାନ୍ତି।
ଚୈତ୍ର ନବରାତ୍ରୀ ଅଷ୍ଟମୀ ତିଥିରେ ଆସିଥାଏ ଏହି ରାତି। ବାସ୍ତବରେ, ଏହା ୩୫୦ ବର୍ଷର ପୁରୁଣା ଏକ ପରମ୍ପରା, ଯେଉଁଥିରେ ବେଶ୍ୟାମାନେ ସାରା ରାତି ଏଠାରେ ଜଳନ୍ତା ଚିତା ଆଗରେ ନାଚିଥାନ୍ତି। ଏହି ରାତି ଯେତେ ଭୟଙ୍କର ଲାଗେ, ତା’ଠାରୁ ଅଧିକ ଆଶ୍ଚର୍ଯ୍ୟଜନକ। ଚିତା ସାମ୍ନାରେ ନାଚୁଥିବା ଯୁବତୀମାନେ ହେଉଛନ୍ତି ସହରର ବଦନାମ ଗଳିର ‘ନଗର ବଧୂ’।
ଏଠାରେ ଏମାନଙ୍କୁ ନା ଜବରଦସ୍ତ ଅଣାଯାଇଥାଏ ନା ପଇସା ଦେଇ ଡକାଯାଇଥାଏ। କାଶୀର ଯେଉଁ ମଣିକର୍ଣ୍ଣିକା ଘାଟକୁ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ପାଇଁ ମୃତଦେହଗୁଡ଼ିକୁ ଅଣାଯାଏ, ସେଠି ଏହି ନଗର ବଧୂମାନେ ବଞ୍ଚି ଥାଉ ଥାଉ ମୋକ୍ଷ ପ୍ରାପ୍ତି ପାଇଁ ଆସିଥାନ୍ତି। ଆଗାମୀ ଜନ୍ମରେ ଯେପରି ସେମାନେ ପୁଣି ନଗର ବଧୂ ରୂପେ ଜନ୍ମ ନ ନିଅନ୍ତି, ସେଥିପାଇଁ ବେଶ୍ୟାମାନେ ନୃତ୍ୟ କରିଥାନ୍ତି।
ଆଉ ଏଥିରେ ବି ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ଥାଏ। ସେମାନଙ୍କ କହିବା ହେଲା, ଏହି ରାତିରେ ଯିଏ ମନଭରି ନୃତ୍ୟ କରିଥାଏ, ଆଗାମୀ ଜନ୍ମରେ ତାକୁ ନଗର ବଧୂର କଳଙ୍କ ମୁଣ୍ଡାଇବାକୁ ପଡ଼ି ନ ଥାଏ। ତେବେ ଏଭଳି ଏକ ଅଜବ ପରମ୍ପରା ଆଜି ବି ଲୋକଙ୍କୁ ଚକିତ କରିଦେଇଥାଏ।