ସକାଳୁ ନାକେଦମ କଲାଣି ତାତି: ସାଢେ ୮ରେ ବାଲେଶ୍ୱର ଓ ଅନୁଗୁଳରେ ୩୬ ଡିଗ୍ରୀ ରେକର୍ଡ

ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ । ତାତି ଆହୁରି ବଢ଼ିବ, ଲୋକେ କଲବଲ ହେବେ । ଆଜି ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ବରରେ ଓ ଅନୁଗୁଳରେ ୩୬ ଡିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା ।

ଭୁବନେଶ୍ୱର (କେନ୍ୟୁଜ): ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ। ତାତି ଆହୁରି ବଢ଼ିବ, ଲୋକେ କଲବଲ ହେବେ। ବିଶେଷ କରି ୨୭ ଓ ୨୮ରେ ସ୍ଥିତି ଅସମ୍ଭାଳ ହେବ। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌-ସିଭିୟର ହିଟ୍‌ ୱେଭ୍‌) ପରିସ୍ଥିତି ସୃଷ୍ଟି ହେବ। ଆଜି ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ବରରେ ୩୬ ଡିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା । ଅନୁଗୁଳରେ ୩୬ ଡିଗ୍ରୀ, ତାଳଚେରରେ ୩୫.୨ ଡିଗ୍ରୀ, ବାରିପଦାରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୫ ଡିଗ୍ରୀ, କେନ୍ଦୁଝରରେ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକରେ ୩୪.୬, ଝାରସୁଗୁଡାରେ ୩୪.୨, ଭୁବନେଶ୍ବରରେ ୩୩.୮ ଡିଗ୍ରୀ ତାପମାତ୍ରା ରହିଛି । ୩୫ ଡିଗ୍ରୀ ଉପରେ ରହିଛି ୫ଟି ସହରର ତାପମାତ୍ରା । ୨୭ ଓ ୨୮ରେ ଅଧିକ କଲବଲ କରିବ ତାତି। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟକୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ବାୟୁ ପ୍ରବାହ ହେବ। ଏହାଦ୍ୱାରା ଆସନ୍ତା ୨-୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବ। ୨୫ରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଥିବା ବେଳେ ୧୭ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.