Below header

ପ୍ରକୃତିର ତାଣ୍ଡବ ଆଗରେ ଫିକା ପଡିଲା ସବୁକିଛି, ଗଲାଣି ୩୯ ଜଣଙ୍କ ଜୀବନ

ପ୍ରବଳ ଝଡତୋଫାନ ଯୋଗୁଁ ହଠାତ୍‌ ବହିଲା ପ୍ରବଳ ବେଗରେ ପବନ । ତାପରେ ଧୂଳିଝଡ ଆରମ୍ଭ ହୋଇଗଲା । ଦେଖୁ ଦେଖୁ ମୁଷଳଧାରାରେ ବର୍ଷା ସାଙ୍ଗକୁ ଭିଷଣ ବଜ୍ରପାତର ଶବ୍ଦ ଛାତି ଥରାଇ ଦେଲା । ଆଉ କିଛି ସମୟ ଭିତରେ ଦେଖିବାକୁ ମିଳିଲା ଭୂସ୍ଖଳନର ଭୟଙ୍କର ରୂପ ।

କେନ୍ୟୁଜ୍ : ପ୍ରଳୟ ରଚିଲା ବିପର୍ଯ୍ୟୟ । ପ୍ରକୃତିର ତାଣ୍ଡବ ଆଗରେ ଫିକା ପଡିଲା ସବୁକିଛି । ପ୍ରକୃତି କେତେ ବେଳେ କେଉଁ ରୂପରେ ଆସି ପ୍ରଳୟ ସୃଷ୍ଟି କରିବ ତାହା କେହି କହିପାରିବେ ନାହିଁ । ତେବେ ଏହି ପ୍ରକୃତିର ତାଣ୍ଡବରେ ଏବେ ଛାରଖାର ହୋଇଯାଇଛି ସବୁକିଛି । ପ୍ରବଳ ଝଡତୋଫାନ ଯୋଗୁଁ ହଠାତ୍‌ ବହିଲା ପ୍ରବଳ ବେଗରେ ପବନ । ତାପରେ ଧୂଳିଝଡ ଆରମ୍ଭ ହୋଇଗଲା । ଦେଖୁ ଦେଖୁ ମୁଷଳଧାରାରେ ବର୍ଷା ସାଙ୍ଗକୁ ଭିଷଣ ବଜ୍ରପାତର ଶବ୍ଦ ଛାତି ଥରାଇ ଦେଲା । ଆଉ କିଛି ସମୟ ଭିତରେ ଦେଖିବାକୁ ମିଳିଲା ଭୂସ୍ଖଳନର ଭୟଙ୍କର ରୂପ ।

ଆଖି ସାମ୍ନାରେ ଭାଙ୍ଗିରୁଜି ଚୁରମାର୍ ହୋଇଗଲା ବଡ ବଡ ବ୍ରିଜ୍, ଇଲେକ୍ଟ୍ରୀ ଖୁଣ୍ଟ । ରାସ୍ତାଘାଟ ଗୁଡ଼ିକ ପରିଣତ ହୋଇଗଲା ନଦୀରେ। ଘର ଭିତରେ ପଣିଗଲା ଆଣ୍ଠୁଏ ଉଚ୍ଚର ପାଣି । ଏହି ଘୂର୍ଣ୍ଣିବଳୟ, ଭୂସ୍ଖଳନ ଫଳରେ ଏକ ଛୋଟ ଜଳ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ଡ୍ୟାମ୍ ବି ଆଂଶିକ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।

ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲରେ ଘଟିଛି ଏହି ଭୟଙ୍କର ବିପର୍ଯ୍ୟୟ । ସୂଚନା ମୁତାବକ ଗତକାଲି ଅର୍ଥାତ୍ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲ ରେ ପ୍ରଥମେ ପବନ ପରେ ପ୍ରବଳ ବର୍ଷା ଓ ଭୂସ୍ଖଳନର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ପ୍ରକୃତିର ଏହି ତାଣ୍ଡବରେ ପାଖାପାଖି ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୭୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ପାଖାପାଖି ୨୪୦୦ ଲୋକ ବିସ୍ଥାପିତ ହୋଇଥିବା ଜଣାପଡିଛି । କାରଣ ରାଜ୍ୟର ୪୯୭ଟି ସହର ଏହି ବର୍ଷା ଓ ଭୂସ୍ଖଳନରେ ପ୍ରଭାବିତ ହୋଇଛି । ଏହା ଇତିହାସର ସବୁଠାରୁ ଭୟଙ୍କର ବିପର୍ଯ୍ୟୟ ବୋଲି କହିଛନ୍ତି ଅଧିକାରୀମାନେ ।

ଯାହା ସୂଚନା ମିଳିଛି, ଯୁଦ୍ଧକାଳୀନ ଭିତ୍ତିରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୁଶୁଡ଼ି ପଡ଼ିଥିବା ଘର, ବ୍ରିଜ୍ ଓ ରାସ୍ତାର ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଖୋଜିବା ସହ ସେମାନଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇପାରିବ, ସେନେଇ ଉଦ୍ଧାରକାରୀ ଦଳ କଠିନ ପରିଶ୍ରମ କରୁଛନ୍ତି । ଏପଟେ, ରାଜ୍ୟପାଳ ଏଡୁଆର୍ଡୋ ଲେଇଟ୍ ସାରା ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟପାଳ କହିଛନ୍ତି, ଏହା ଇତିହାସର ସବୁଠାରୁ ଭୟଙ୍କର ବିପର୍ଯ୍ୟୟ । ଯାହାର ମୁକାବିଲା ସମସ୍ତଙ୍କୁ ମିଶିକି କରିବାକୁ ପଡିବ । ଏପଟେ ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥିବା କହିଛନ୍ତି । ଏନେଇ ସେ ଗଭିର ଭାବେ ଦୁଃଖ ପ୍ରକାଶ କରିଛନ୍ତି ।

ଏପଟେ, ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଗୁରୁବାର ରାଜ୍ୟ ଗସ୍ତରେ ଆସି ସ୍ଥାନୀୟ ଅଧିକାରୀମାନଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି । ଏହି ବର୍ଷାରେ ପ୍ରଭାବିତ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ତାଙ୍କ ସରକାର ଯଥା ସମ୍ଭବ ସହଯୋଗ କରିବାକୁ ଚେଷ୍ଟା କରିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ତେବେ ସୂଚନା ଥାଉକି,  ଗତ ସେପ୍ଟେମ୍ବରରେ ରିଓ ଗ୍ରାଣ୍ଡେ ଡୋ ସୁଲ ରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷା କାରଣ ଘୂର୍ଣ୍ଣିବଳୟ ସହ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା । ଯେଉଁଥିରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.