Below header

ପାକିସ୍ତାନରେ ପ୍ରଥମ ଥର ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା, ନାମାଙ୍କନ ଭରିଲେ ସଭେରା ପ୍ରକାଶ

ପାକିସ୍ତାନରେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଥମ ଥର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବେ। ତାଙ୍କ ନାମ ସଭେରା ପ୍ରକାଶ। ଦେଶରେ ୧୬ଶ ନ୍ୟାସନାଲ ଆସେମ୍ବ୍ଲି ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଭରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି।

ପାକିସ୍ତାନରେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଥମ ଥର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବେ। ତାଙ୍କ ନାମ ସଭେରା ପ୍ରକାଶ। ଦେଶରେ ୧୬ଶ ନ୍ୟାସନାଲ ଆସେମ୍ବ୍ଲି ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଭରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏହାରି ଭିତରେ ପ୍ରଥମ ଥର ପାଇଁ କେହି ଜଣେ ହିନ୍ଦୁ ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମୈଦାନକୁ ଓହ୍ଲାଇଛନ୍ତି।

ପାକିସ୍ତାନୀ ଖବରକାଗଜ ‘ଡନ୍‌’ର ରିପୋର୍ଟ ମୁତାବକ, ଖୈବର ପଖତୁନଖ୍ଵାର ବୁନେର ଜିଲ୍ଲାରେ ହିନ୍ଦୁ ମହିଳା ସଭେରା ପ୍ରକାଶ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୨୦୨୪ ଫେବୃୟାରୀ ୮ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସଭେରା ବୁନେର ଜିଲ୍ଲାରେ ପିକେ-୨୫ ଆସନ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଭରିଛନ୍ତି।

ହିନ୍ଦୁ ସମ୍ପ୍ରଦାୟର ସଭେରା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଟିକେଟ୍‌ରେ ନିର୍ବାଚନ ଲଢ଼ିବେ। ସଭେରାଙ୍କ ବାପା ଓମ୍‌ ପ୍ରକାଶ ହେଉଛନ୍ତି ପିପିପିର ଜଣେ ସକ୍ରିୟ ସଦସ୍ୟ। ଏବଟାବାଦ ଇଣ୍ଟରନ୍ୟାସନାଲ ମେଡିକାଲ କଲେଜରୁ ୨୦୨୨ରେ ସ୍ନାତନ ଡିଗ୍ରୀ ହାସଲ କରିଥିବା ସଭେରା ବର୍ତ୍ତମାନ ବୁନେରରେ ପିପିପି ମହିଳା ଓ୍ଵିଙ୍ଗ୍‌ର ସେକ୍ରେଟାରୀ ରୂପେ କାର୍ଯ୍ୟରତ ଅଛନ୍ତି।

ସମ୍ପ୍ରଦାୟର କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରି ସେ ମହିଳାଙ୍କ ଉନ୍ନତି ପାଇଁ କାମ କରିବା, ଏକ ନିରାପଦ ପରିବେଶ ସୁନିଶ୍ଚିତ କରିବା ତଥା ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରିବା କଥା କହିଛନ୍ତି।

ବାପା ପଦାଙ୍କ ଅନୁସରଣ କରି ସେ ଅଞ୍ଚଳର ବଞ୍ଚିତ ଲୋକଙ୍କ ପାଇଁ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଡିସେମ୍ବର ୨୩ରେ ସଭେରା ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ପିପିପିର ବରିଷ୍ଠ ନେତୃତ୍ୱ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ତାଙ୍କ ବାପା ଓମ୍ ପ୍ରକାଶ ନିକଟରେ ଡାକ୍ତରୀ ସେବାରୁ ଅବସର ନେଇଛନ୍ତି ଏବଂ ପାଖାପାଖି ୩୫ ବର୍ଷ ଧରି ପିପିପିର ସଦସ୍ୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.