Below header

ବଢୁଛି JN.1 ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ଦେଶରେ ୬୪୦ ନୂଆ ମାମଲା ଚିହ୍ନଟ

ଦେଶରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୬୪୦ ନୂଆ ମାମଲା ଚିହ୍ନଟ ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେରଳରୁ ସର୍ବାଧିକ ୨୬୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ଜୀବନ ଯାଇଛି।

ନୂଆଦିଲ୍ଲୀ : ପୁଣି କଡ଼ ଲେଉଟାଇଲାଣି କରୋନା । ଦେଶରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ୬୪୦ ନୂଆ ମାମଲା ଚିହ୍ନଟ ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେରଳରୁ ସର୍ବାଧିକ ୨୬୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ଜୀବନ ଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୯୯୭ ରହିଛି । ସେପଟେ ପଜିଟିଭ ନମୁନା ଜିନମ ସିକ୍ବେନ୍ସିଂ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଦ୍ରୁତ ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । କେରଳ, କର୍ଣ୍ଣାଟକ ସମେତ କିଛି ରାଜ୍ୟ ମାସ୍କ ବାଧ୍ୟତା ମୂଳକ କରିଛନ୍ତି । ଭିଡ଼ ସ୍ଥାନକୁ ଲୋକଙ୍କୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି ।

ସେହିପରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟକୁ ନେଇ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ବିନା ମାସ୍କରେ ବାହାରକୁ ନଯିବା, ସଂଗରୋଧରେ ରହିଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାଠାରୁ ଦୂରେଇ ରହିବା ଉଚିତ । କାରଣ ଦୀର୍ଘ ସମୟ ଧରି ସଂକ୍ରମିତଙ୍କ ସହିତ ରହିବା କାରଣରୁ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଭିଡ଼ଠାରୁ ଦୂରେଇ ରହିବା ସହିତ, ଯଦି କୌଣସି ଲକ୍ଷଣ ଦେଖାଯାଉଛି ଅର୍ଥାତ ଜ୍ୱର, ଥଣ୍ଡା ଏବଂ ସର୍ଦ୍ଦି ହୋଇଥିଲେ ଘରେ ନରହି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି। ତେବେ ଶୀତ ଋତୁରେ ଶ୍ବାସକ୍ରିୟା କାରଣରୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆମକୁ ସାଧାରଣ ଥଣ୍ଡାଠାରୁ ନିଜକୁ ଦୂରେଇ ରହିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.