ପ୍ରଧାନ ଶିକ୍ଷୟିତ୍ରୀ ହେବ ତ ଏମିତି, ନିଜ ଦରମା ଟଙ୍କାରେ ସ୍କୁଲ ପାଇଁ ତିଆରି କରୁଛନ୍ତି ପାଚେରୀ

ନିଜର ମାଟି ଓ ନିଜର ସ୍କୁଲ ପ୍ରତି ଏପରି ଭଲ ପାଇବା ଓ କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ପଂଚାୟତର ଆଗିରିଆ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ବେହେରା।

ଚାନ୍ଦବାଲି(କେନ୍ୟୁଜ):ତହସିଲ ଠାରୁ ଆରମ୍ଭ କରି ଜିଲ୍ଲାପାଳ। ଏମିତିକି ହାଇକୋର୍ଟରେ ଦୀର୍ଘ ବର୍ଷର ସଂଘର୍ଷ କରି ନିଜ ସ୍କୁଲର ଖେଳ ପଡିଆକୁ ଜବର ଦଖଲ ମୁକ୍ତ କରିବା ସହ ନିଜର ଦରମା ଟଙ୍କାରେ ପିଲାଙ୍କ ସୁରକ୍ଷା ପାଇଁ ନିର୍ମାଣ କରୁଛନ୍ତି ବିରାଟକାୟ ପାଚେରୀ। ତେଣୁ ନିଜର ମାଟି ଓ ନିଜର ସ୍କୁଲ ପ୍ରତି ଏପରି ଭଲ ପାଇବା ଓ କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ପଂଚାୟତର ଆଗିରିଆ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ବେହେରା।

ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସ୍କୁଲରେ ପୋଷ୍ଟିଂ ହେବା ପରେ ସେ ପ୍ରଥମେ ଦେଖିଥିଲେ ଯେ ସ୍କୁଲର ଖେଳ ପଡିଆକୁ କିଛି ଲୋକ ଜବରଦଖଲ କରି ରଖିବା ସହ ଦେଶୀ ମଦ କାରବାର ଚାଳାଇଛନ୍ତି ସ୍କୁଲ ସାମ୍ନାରେ। ତେଣୁ ସ୍କୁଲର ପିଲାଙ୍କ ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନ ଶିକ୍ଷୟିତ୍ରୀ ନିଜ ସ୍କୁଲକୁ ଜବରଦଖଲ ମୁକ୍ତ କରିବା ସହ ଉନ୍ନତି ମୂଳକ କାମ କରିବାର ନିଷ୍ପତି ନେଇଥିଲେ। ଯାହାକି ଆଜି ସେହି ନିଷ୍ପତି ସଠିକ୍ କାମରେ ଲାଗିବା ସହ ସେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଆଉ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭଲ କାର୍ଯ୍ୟ ଓ ସ୍କୁଲ ପ୍ରତି ନିଷ୍ଠା ଦେଖି ସ୍ଥାନୀୟ ଅଂଚଳର ଲୋକେ ବେଶ ପ୍ରଶଂସା କରିଛନ୍ତି।

ତାଳପଦା ପଂଚାୟତ ଅମୃତପୁର ଗାଁରେ ରହିଛି ଆଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ। ପ୍ରଥମ ରୁ ପଂଚମ ଶେଣୀରେ ୫୦ପିଲା ପାଠ ପଢନ୍ତି । ଖେଳପଡିଆଟି ଜବରଦଖଲରେ ଥିବାରୁ ସ୍କୁଲରେ ପଢୁଥୁବା ଛାତ୍ରଛାତ୍ରୀମାନେ ଖେଳ କୁଦ କରିପାରୁନଥିଲେ। ହେଲେ ଏବେ ବଦଳିଯାଇଛି ପରିସ୍ଥିତି । ନିଜ ଖେଳ ପଡିଆକୁ ଫେରିପାଇ ଛାତ୍ରଛାତ୍ରୀମାନେ ବି ବେଶ ଖୁସି। କାରଣ ସେମାନେ ଏବେ ଖେଳକୁଦ କରିପାରିବେ । ତେବେ ଗତ ଚାରି ଦିନ ହେଲା ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ସ୍କୁଲରେ ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆଉ ଏହି ସବୁ କାମ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିଜ ଦରମା ଟଙ୍କାରୁ ଖର୍ଚ୍ଚ କରୁଛନ୍ତି।

pacheri

୨୦୧୩ ମସିହାରେ ଏହି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ ସଂଯୁକ୍ତା ବେହେରା। ସେବେ ଠୁ ତାଙ୍କର ପ୍ରଚେଷ୍ଟା ଜାରି ରହିଥିଲା। ତେବେ ଜବରଦଖଲ ମୁକ୍ତ ହେବା ପରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚାରିପାଖର ପାଚେରୀ କାମ ଜାରି ରଖିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ଏବେ ଆଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଚିଲଡ୍ରେନ ପାର୍କ କରିବାର ଲକ୍ଷ୍ୟ ରଖିଛନ୍ତି। ତେବେ ଯଦି ସରକାରଙ୍କ ତରଫରୁ ଏହି ବିଦ୍ୟାଳୟକୁ କିଛି ସରକାରୀ ସାହାର୍ଯ୍ୟ ମିଳନ୍ତା ତେବେ ଏହି ସ୍କୁଲର ଉନ୍ନତି ମୂଳକ କାର୍ଯ୍ୟ ଆହୁରି ବଢିପାରନ୍ତା ବୋଲି ଗ୍ରାମବାସୀ ଓ ଅଭିଭାବକମାନେ ପ୍ରକାଶ କରିଛନ୍ତି।

ତେବେ ପ୍ରଧାନ ଶିକ୍ଷୟିତ୍ରୀ ଏହି ଗାଁର ବୋହୁ। ତେଣୁ ନିଜ ମାଟି ଓ ସ୍କୁଲ ପ୍ରତି ଭଲ ପାଇବା ସ୍ଵାଭାବିକ। ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉଦ୍ୟମକୁ ଭରପୂର ପ୍ରଶଂସା କରିଛନ୍ତି ଅଂଚଳବାସୀ ଓ ଦାବି କରିଛନ୍ତି ସରାକରୀ ସାହାର୍ଯ୍ୟ କିଛି ମିଳିଲେ ନିଶ୍ଚିତ ଗାଁ ସ୍କୁଲର ମାନଚିତ୍ର ବଦଳିପାରନ୍ତା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.