ଦୁଇଜଣ ଓଡ଼ିଆଙ୍କ ଦୁର୍ଭାଗ୍ୟ, ପେଟ ପୋଷିବାକୁ ଯାଇ ଫସି ରହିଛନ୍ତି ସାଉଦି ଆରବରେ

କୋଲକାତା (କେନ୍ୟୁଜ୍‌) : ପେଟ ପୋଷିବା ପାଇଁ ସାଉଦି ଆରବ ଯାଇଥିବା କିଛି ଓଡ଼ିଆଙ୍କ ମଧ୍ୟରୁ ଦୁଇ ଜଣ ଏବେ ବଡ଼ ମାମଲାରେ ଫସି ପୋଲିସ୍‌ ହେପାଜତରେ ଅଛନ୍ତି । ସେମାନଙ୍କୁ ମିଛ ମାମଲାରେ ଫସାଇ ଦିଆ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏମାନେ ହେଲେ ମହମ୍ମଦ ଜଲ୍ଲାଲୁଦ୍ଦିନ ଏବଂ ସେଖ୍‌ ଇମ୍ରାନ୍‌ । ଘର ଯାଜପୁର ଜିଲ୍ଲାରେ ।

ଏଜେଣ୍ଟ ଲକ୍ଷେ ୨୦ ହଜାର ଟଙ୍କା ଦେଇ ସାଉଦିଆରବର ତାଇବଠାରେ ଚାକିରି ପାଇଥିଲେ । ହେଲେ ସେମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇ ଅଣାଯାଇଥିଲା ତାହା ପୂରଣ କରାଗଲା ନାହିଁ । କୁହାଯାଇଥିବା କାମ କି ଦରମା କିଛି ବି ମିଳିଲା ନାହିଁ । ଏମାନେ ସମସ୍ତେ ହୋଟେଲରେ କାମ କରୁଥିଲେ । ଯେତେବେଳେ ସେମାନେ ଏହାର ପ୍ରତିବାଦ କରି ଓଡ଼ିଶା ଫେରି ଆସିବାକୁ ଚାହିଁଲେ ସେମାନଙ୍କୁ ମିଛ କେସ୍‌ରେ ଫସାଇ ଦିଆଗଲା ବୋଲି ଏହି ଦୁଇ ଓଡ଼ିଆ ଯୁବକ କହିଛନ୍ତି । ଏବେ ସେମାନେ ଜେଢାର ଏକ ମସଜିଦରେ ରହୁଛନ୍ତି । ସେମାନଙ୍କ ପାଖରେ ଖାଇବାକୁ ବି ପଇସା ନାହିଁ । ବଡ଼ କଷ୍ଟରେ ଚଳୁଛନ୍ତି ।

ସୂଚନା ଅନୁସାରେ, ସାମାଜିକ କର୍ମୀ ଡ. ଅରୁଣ କୁମାର ପ୍ରହରାଜ ପ୍ରାୟ ୫ ଜଣ ଓଡ଼ିଆ ସାଉଦି ଆରବରେ ଫସି ରହିଥିବା ଖବର ପାଇଥିଲେ । ସେ ଲଗାତର ଭାବେ ଚେଷ୍ଟା କରି ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ମୁକୁଳାଇବାରେ ସଫଳ ହୋଇଥିଲେ । ଫଳରେ ତିନି ଜଣ ଓଡ଼ିଶା ଫେରି ଆସିଥିବା ବେଳେ ଆଉ ଦୁଇ ଜଣ ଫେରିବା ପୂର୍ବରୁ ସେମାନଙ୍କୁ ମିଛ ମାମଲାରେ ଫସାଇ ଦିଆଗଲା । ଯାହାଫଳରେ ସେମାନେ ସେହିଠାରେ ରହିଗଲେ । ଏମାନେ ସେଠାକାର ଭାରତୀୟ ଦୂତାବାସକୁ ମଧ୍ୟ ଅନୁରୋଧ କଲେ ହେଲେ କିଛି ଫଳ ମିଳିନାହିଁ । ଡ. ଅରୁଣ ପ୍ରହରାଜଙ୍କୁ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ବିଜେଡି ନେତା ପ୍ରଣବ କିଶୋର ଦାସଙ୍କ ସହଯୋଗ ମିଳିଥିଲା । ହେଲେ ଜେଢା ସ୍ଥିତ ଭାରତୀୟ ଦୂତାବାସ ଜଣାଇ ଦେଲା କି ଜଲାଲ୍ଲଦ୍ଦିନ ଓ ଇମ୍ରାନ୍‌ଙ୍କ ନାଁରେ ମାମଲା ଥିବାରୁ ସେମାନେ ପ୍ରଥମେ ପୋଲିସ୍‌ରୁ ନିଜକୁ ମୁକ୍ତ କରନ୍ତୁ ।

ତେବେ ଏମାନେ କାମ କରୁଥିବା ହୋଟେଲ ମାଲିକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏହି ଦୁଇ ଓଡ଼ିଆ ଅଧିକ ସଂକଟରେ ପଡ଼ି ଯାଇଛନ୍ତି । ମାମଲାରୁ ମୁକ୍ତି ପାଇ ପାରୁ ନାହାନ୍ତି । ଏମାନେ ଆରବ ଭାଷା ଜାଣି ନଥିବାରୁ ପୋଲିସ୍‌ ସହ ମଧ୍ୟ କଥା ହୋଇ ପାରୁ ନାହାନ୍ତି । ତେଣୁ ଭାରତୀୟ ଦୂତାବାସର ଜଣେ ଅଧିକାରୀ କିମ୍ବା ଓକିଲଙ୍କୁ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ତେବେ ଦୂତାବାସ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଜଲାଲ୍ଲଦ୍ଦିନ ଓ ଇମ୍ରାନ୍‌ ସେମାନଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏହି ଗରିବ ଯୁବକ ଦୁଇଜଣଙ୍କୁ ଉଦ୍ଧାର କରିବା ପାଇଁ ଡ. ଅରୁଣ କୁମାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.