ରାହୁଲ ଗାନ୍ଧୀଙ୍କ ଜୀବନ ପ୍ରତି ବିପଦ ! କଂଗ୍ରେସର ଅଭିଯୋଗ ସ୍ନାଇପର ଗନ୍‌ର ନିଶାନରେ ଥିଲେ କଂଗ୍ରେସ ଅଧ୍ୟକ୍ଷ

ଭୁବନେଶ୍ବର : ରାହୁଲଙ୍କ ମୁଣ୍ଡରେ ଲେଜର । ଥରେ ନୁହେଁ ସାତ ଥର ରାହୁଲଙ୍କ ମୁଣ୍ଡକୁ ପଏଣ୍ଟେଡ୍‌ ହୋଇଛି ସବୁଜ ରଂଗର ଲେଜର । ଆମେଥିରେ କୌଣସି ସ୍ନାଇପର ଗନ୍‌ର ନିଶାନରେ ଥିଲେ କଂଗ୍ରେସ ଅଧ୍ୟକ୍ଷ । କଣ ଏହି ଲେଜର? କାହାର ନିଶାନରେ ଥିଲେ କି କଂଗ୍ରେସ ଅଧ୍ୟକ୍ଷ ? କୌଣସି ଶକ୍ତିଶାଳୀ ସ୍ନାଇପର ଗନ୍‌ ଟାର୍ଗେଟ୍‌ କରିଥିବା ଦଳ ସଂଦେହ କରିଛି । ରାହୁଲଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଛି ଦଳ । ଦୁଇ ଫର୍ଦ୍ଦର ଅଭିଯୋଗ ପତ୍ରରେ ରହିଛି ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ, ଜୟରାମ ରମେଶ ଓ ରଣଦୀପ ସିଂ ସୂର‌୍ୟେୱାଲାଙ୍କ ଦସ୍ତଖତ ।

ଏହି ଭିଡିଓ କ୍ଲିପ୍‌ ମଧ୍ୟ ଗୃହମନ୍ତ୍ରାଳୟରେ ଦାଖଲ କରିଛି କଂଗ୍ରେସ । ରାହୁଲ ଏସପିଜି ସୁରକ୍ଷା ଭିତରେ ଥିଲେ ବି ସୁରକ୍ଷା ବ୍ୟବସ୍ଥାରେ କେଉଁଠି ନା କେଉଁଠି ଢିଲା ରହିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି । କୌଣସି ଶକ୍ତିଶାଳୀ ସ୍ନାଇପର ବନ୍ଧୁକରେ ରାହୁଲଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଦଳ ଆଶଂକା କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି । ରାହୁଲଙ୍କ ବାପା ରାଜୀବ ଗାନ୍ଧୀ ଓ ତାଙ୍କ ଜେଜେ ମା ଇନ୍ଦିରା ଗାନ୍ଧୀ ହତ୍ୟା ଷଡଯନ୍ତ୍ରର ଶିକାର ହୋଇଥିଲେ । ତେଣୁ ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ କଂଗ୍ରେସ ଦାବି କରିଛ। ଲୋକସଭା ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ରାହୁଲଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ରାହୁଲଙ୍କ ସୁରକ୍ଷା କେନ୍ଦ୍ର ସରକାର ଓ ଗୃହମନ୍ତ୍ରାଳୟର ପ୍ରଥମ ଦାୟିତ୍ୱ ବୋଲି ଚିଠରେ ଉଲ୍ଲେଖ କରିଛନ୍ତି କଂଗ୍ରେସ ନେତା ।

ତେବେ ଭିଡିଓ କ୍ଲିପ୍‌ ପାଇବା ପରେ ଏହାକୁ ଏସପିଜି ମୁଖ୍ୟ ଅନୁଧ୍ୟାନ କରିଥିଲେ । ଏହା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏକ ମୋବାଇଲ ଫୋନ୍‌ରୁ ଆସୁଥିଲା ଏହି ସବୁଜ ଆଲୋକ । ଏଆଇସିସି ଫଟୋଗ୍ରାଫର ଭିଡିଓ ସୁଟିଂ କରିବା ବେଳେ ତାଙ୍କ ମୋବାଇଲରୁ ରାହୁଲଙ୍କ ଉପରେ ଏହି ସବୁଜ ରଂଗର ଆଲୋକ ପଡ଼ିଥିଲା । ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ନାହିଁ ।

ଗତ ବର୍ଷ ଏପ୍ରିଲ ମାସରେ ମଧ୍ୟ ରାହୁଲଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ରାହୁଲ ବ୍ୟବହାର କରିଥିବା ହେଲିକପ୍‌ଟରରେ ଜାଣିଶୁଣି ଏକାଧିକ ତ୍ରୁଟି କରାଯାଇଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.