Below header

ମୋଦିଙ୍କୁ ଭେଟିଲେ ଦିଦି, ଦେଲେ ଜନ୍ମଦିନ ଉପହାର

ନୂଆଦିଲ୍ଲୀ: ବହୁ ବାଦବିବାଦ ଏବଂ ବାକବିତଣ୍ଡା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଭେଟ ହୋଇଛି। ଏକଦା ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ପୂରାଇ ଦେଉନଥିବା ମମତା ଆଜି ମୋଦିଙ୍କୁ ନିଜ ରାଜ୍ୟକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ସେ ପଶ୍ଚିମବଙ୍ଗର ନାମ ବାଂଲାକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ମୋଦିଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନଠାରେ ଏହି ଭେଟ ହୋଇଛି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଭେଟି ସ୍ୱରୂପ ଏକ କୁର୍ତ୍ତା ଓ ମିଠା ପ୍ରଦାନ କରିଛନ୍ତି । ଗତ ନିର୍ବାଚନରେ ପ୍ରଚାର ବେଳେ ମୋଦି କହିଥିଲେ ଯେ ମମତା ତାଙ୍କୁ ସବୁବର୍ଷ ଏକ କୁର୍ତ୍ତା ଓ ବେଙ୍ଗଲି ମିଠା ପଠାନ୍ତି।

ଏ ଅବସରରେ ମମତା ପଶ୍ଚିମବଙ୍ଗର ବୀରଭୂମଠାରେ କୋଲଫିଲ୍ଡ ପ୍ରକଳ୍ପ ଉଦ୍‌ଘାଟନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ବହୁ ଆଗରୁ ମମତା ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ଦାବି କରିଆସୁଛନ୍ତି। ତେବେ ଆଜି ମମତା ମୋଦିଙ୍କ ଆଗରେ ଏହି ପ୍ରସଙ୍ଗ ରଖିଥିଲେ। ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଥିଲେ। ଗତ ସଂସଦୀୟ ଅଧିବେଶନରେ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ।

ଏହାସହ ପଢ଼ନ୍ତୁ: ବେଙ୍ଗାଲୁରୁସ୍ଥିତ ୟୁକୋ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

ମମତା ଏହି ଅବସରରେ ପଶ୍ଚିମବଙ୍ଗର ବିକାଶ ଏବଂ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବାବଦରେ ଆଲୋଚନା କରିଥିଲେ। ବୈଠକ ସମ୍ପର୍କରେ ମମତା କହିଛନ୍ତି ଯେ ଏହି ବୈଠକ କେବଳ ଦୁଇଟି ପଦବୀ ମଧ୍ୟରେ ଥିଲା, ରାଜନୈତିକ ନୁହେଁ। ଯଦି ଆସନ୍ତାକାଲି ଅମିତ ଶାହ ସମୟ ଦିଅନ୍ତି, ମୁଁ ତାଙ୍କୁ ମଧ୍ୟ ଭେଟିବି। ତେବେ ଏନଆରସି ପ୍ରସଙ୍ଗ ଏହି ବୈଠକରେ ଉଠି ନ ଥିବା ମମତା ବାନାର୍ଜୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.