ଗାଡ଼ିରେ ଏକଟୁଆ ଯାଉଥିଲେ ମାସ୍କ ବାଧ୍ୟତାମୂଳକ ନୁହେଁ, ପୋଲିସ୍ ଜରିମାନାକୁ ଚ୍ୟାଲେଞ୍ଜ କରି କୋର୍ଟରେ ମାମଲା ରୁଜୁ କଲେ ଜଣେ ଓକିଲ

ନୂଆଦିଲ୍ଲୀ : ମାସ୍କ ପାଇଁ ୫୦୦ ଟଙ୍କା ଫାଇନ୍ ଦେବାରୁ ପୋଲିସ ବିରୋଧରେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କଲେ ଓକିଲ । ମାମଲାଟି ଏବେ କୋର୍ଟରେ ରହିଛି ବିଚାରାଧୀନ । ଏହି ବିଚିତ୍ର ଘଟଣା ଘଟିଛି ନୂଆଦିଲ୍ଲୀରେ ।
କରୋନା କାଳରେ ମାସ୍କ ପିନ୍ଧିବା ପାଇଁ ସରକାର ନିୟମ କରିଛନ୍ତି । ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ କିଛି ପୋଲିସ ଅଧିକାରୀ ଏହି ନିୟମର ଦୂରୁପୋଯୋଗ କରୁଛନ୍ତି । ଫଳରେ ଅଧିକାଂଶ ସମୟରେ ସାଧାରଣ ଲୋକେ ପୋଲିସ ଦ୍ୱାରା ହଇରାଣ ହରକତ ହୋଇ ତଣ୍ଡ ଦେବାକୁ ବାଧ୍ୟ ହେଉଛନ୍ତି ।
ଫାଇନ୍କୁ ନେଇ ଏକ ବିଚିତ୍ର ଘଟଣା ଘଟିଛି ନୂଆଦିଲ୍ଲୀରେ । ଜଣେ ଓକିଲ ନିଜେ ଦେଇଥିବା ଫାଇନକୁ ବିରୋଧ କରି ପୋଲିସ ବିରୋଧରେ କୋର୍ଟରେ ମାମଲା ରୁଜୁ କରିଛନ୍ତି । ମାମଲାରେ ଫାଇନ୍ ଆଦାୟ କରିଥିବା ପୋଲିସ ବିରୋଧରେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।
ଘଟଣାଟି ଥିଲା ଏମିତି । ଦିଲ୍ଲୀର ସୈାରଭ ଶର୍ମ୍ମା ପେଶାରେ ଜଣେ ଓକିଲ । ସେ ତାଙ୍କ କାର୍ରେ ଏକୁଟିଆ ଯାଉଥିବାବେଳେ ମୁହଁରେ ମାସ୍କ ଲଗାଇନଥିଲେ । ମୁହଁରେ ମାସ୍କ ଲଗାଇ ନଥିବା ଦେଖି ପୋଲିସ ତାଙ୍କ କାର୍ ଅଟକାଇ ଥିଲା । ସେ କାର୍ରେ ଏକୁଟିଆ ଥିବାରୁ ମାସ୍କ ଲଗାଇବା ଜରୁରୀ ନୁହେଁ ବୋଲି ଯେତେ କହିଥିଲେ ହେଁ ପୋଲିସ୍ ବୁଝି ନଥିଲା । ବରଂ ତାଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିଥିଲା ।
ଏହି ଘଟଣାରେ ଓକିଲ ଜଣକ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି । ପୋଲିସ ତାଙ୍କ ଠାରୁ ବେନିୟମ ଭାବେ ଫାଇନ୍ ଆଦାୟ କରି ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଛନ୍ତି । ତେଣୁ କ୍ଷତିପୂରଣ ବାବଦକୁ ସେ ୧୦ ଲକ୍ଷ ଟଙ୍କା ଦାବି ନେଇ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ମାମଲାଟି ଏବେ କୋର୍ଟରେ ବିଚାରାଧୀନ ରହିଛି ।
ଏହି ମାମଲା ପରେ ମାସ୍କ ପିନ୍ଧବା ନେଇ ଉପୁଜୁଥିବା ଦ୍ୱନ୍ଦ୍ୱକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସ୍ପଷ୍ଟୀକରଣ ରଖିଛନ୍ତି । କାର୍ କିମ୍ବା କୈାଣସି ଗାଡ଼ିରେ ଏକୁଟିଆ ଯାତ୍ରା କରୁଥିବା ବେଳେ ମାସ୍କ ପିନ୍ଧିବା ଜରୁରୀ ନୁହେଁ । ତେବେ ଏକାଧିକ ଲୋକଙ୍କ ସହ ଗାଡ଼ିରେ ଯାତ୍ରା କରୁଥିବା ବେଳେ ମାସ୍କ ପିନ୍ଧିବା ଜରୁରୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଣ ଭୁଷଣ ପ୍ରକାଶ କରିଛନ୍ତି । ହେଲେ ସୈାରଭ ଗାଡ଼ିରେ ଏକୁଟିଆ ଯାଉଥିବା ବେଳେ ପୋଲିସ୍ ତାଙ୍କ ଠାରୁ ୫୦୦ ଟଙ୍କା ଚାଲାଣ କାଟିଛି ।