Below header

ବିରଳ ବ୍ୟକ୍ତିତ୍ୱ : ୭୦ ବର୍ଷର ଲାମା ଦୁର୍ଗମ ପାହାଡ଼ ଫଟାଇ ତିଆରି କଲେ ୩୮ କି.ମି ରାସ୍ତା, ପଦ୍ମଶ୍ରୀରେ ସମ୍ମାନିତ

ମନାଲି :  କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ପାଖରେ ସବୁ ବାଧା ହାର ମାନିଥାଏ । ଯଦି ଜଣେ କିଛି କରିବାକୁ ସଂକଳ୍ପ ନେଇଯାଏ, ତେବେ ଇଶ୍ୱର ବି ତା’ର ସାଙ୍ଗରେ ଛିଡ଼ା ହୋଇ ଯାଆନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଲଦାଖର ଲାମା ତସୁଲଟିମ୍‌ ଛୋଞ୍ଜର । ବୟସ ୭୦ ବର୍ଷ । ହେଲେ ଅଦମ୍ୟ ଇଚ୍ଛା ଶକ୍ତି । ତାଙ୍କର ଇଚ୍ଛା ଶକ୍ତି ଆଣି ଦେଇଛି ଦୁର୍ଗମ ପାହାଡ଼ ଅଞ୍ଚଳରେ ୩୮ କିଲୋମିଟର ରାସ୍ତା ନିର୍ମାଣ କରିବାର ଶକ୍ତି । ତାଙ୍କର ଏହି କଠିନ କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ବିହାରର ‘ମାଉଣ୍ଟେନ ମ୍ୟାନ୍‌’ କୁହାଯାଉଥିବା ଦଶରଥ ମାଝିଙ୍କୁ କିଏ ବା ନ ଜାଣନ୍ତି । ଯିଏ ଏକ ଛେଣୀ ଓ ହାତୁଡି ସାହାଯ୍ୟରେ ଦୀର୍ଘ ୨୨ ବର୍ଷ ପରିଶ୍ରମରେ ଗହଲୋର ପାହାଡ଼କୁ ଫଟାଇ ରାସ୍ତା ତିଆରି କରିଥିଲେ । ଏବେ ଲଦାଖର ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଲାମା ତସୁଲଟିମ୍‌ ଛୋଞ୍ଜର ଯେ କି ଲଦାଖର ଦଶରଥ ମାଝି ନାମରେ ପରିଚିତ । ୭୦ ବର୍ଷ ବୟସ୍କ ଲାମା ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ କରାଯାଇଛି ।

lama
photo credit: The Better India

ସାଧାରଣ ସ୍ଥାନ ଠାରୁ ପାହାଡ଼ରେ ରାସ୍ତା ନିର୍ମାଣ କରିବା ବହୁତ ମୁସ୍କିଲ୍‌ । ତେବେ ଏପରି କାମ କରିଥିବା ଲାମା ଲଦାଖର ଜଂସ୍କାର ଘାଟିର ସ୍ତୋଂଗ୍‌ଦେ ଗ୍ରାମରେ ରୁହନ୍ତି । ତେବେ ଗାଁରେ ସେ ‘ମେମେ ଛୋଞ୍ଜର’ ନାମରେ ପରିଚିତ । ଲାମା କେବଳ ଦୁର୍ଗମ ପାହାଡ଼ ରେ ୩୮ କି.ମି ସଡ଼କ ନିର୍ମାଣ କରିବାରେ କେବଳ ଶ୍ରମ ଦେଇ ନାହାଁନ୍ତି, ତାଙ୍କର ଅଚଳାଚଳ ସମ୍ପତ୍ତି ମଧ୍ୟ ଏଥିରେ ଲାଗିଛି । ଲାମା ରାସ୍ତା ନିର୍ମାଣ ପରେ ଯେତେବେଳେ ପ୍ରଥମ ଥର ପାଇଁ ନିଜର ଜିପ୍‌ ଚଳାଇ କରଗ୍ୟା ଗ୍ରାମରେ ପହଞ୍ଚିଲେ ଲୋକ ଦେଖି ଖୁସିରେ ଆନନ୍ଦିତ ହୋଇଯାଇଥିଲେ ।

ରାସ୍ତା ଯୋଗୁ ଲଦାଖ ଓ ହିମାଚଳ ରାଜ୍ୟକୁ ମିଳିବ ଲାଭ :

ହିମାଳୟ ଅଞ୍ଚଳରେ ଦଶରଥ ମାଝି କୁହାଯାଉଥିବା ଲାମାଙ୍କୁ ପଦ୍ମଶ୍ରୀ ମିଳିବା ପରେ ତାଙ୍କ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି । ଏଥିସହ ହିମାଚଳ ଜନଜାତି ଜିଲ୍ଲାରେ ମଧ୍ୟ ଲୋକେ ଖୁସି ମନାଉଛନ୍ତି । ଦାରା ରୁ ଦର୍ଶ ଦେଇ ଶିଂକୁଳା ଯାଇଥିବା ଏହି ସଡ଼କ କୁ କାର୍‌ଗିଲ ଜିଲ୍ଲା ଲେହ ଲଦାଖ ଦେଇ କରଗ୍ୟା ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି । ଲାମାଙ୍କ ଦ୍ୱାରା ପାହାଡ଼ କାଟି ନିର୍ମାଣ କରାଯାଇଥିବା ଏହି ରାସ୍ତାର ଲାଭ ହିମାଚଳ ରାଜ୍ୟକୁ ମଧ୍ୟ ମିଳିବ । କାରଣ ସୀମା ସଡ଼କ ସଂଗଠନ ଏବେ ଦାରଚା- ଶିଂକୁଳ ଦର୍ଶ ସଡ଼କ ଯୋଜନା ରେ କାମ କରୁଛି ।

ଲାମାଙ୍କ ଜିଦ୍‌ ଲୋକଙ୍କ ଚିନ୍ତାଧାରା ବଦଳାଇ ଦେଲା :

ସ୍ୱାଧୀନତାର ବହୁ ବର୍ଷ ପରେ ଜଂସ୍କାର ଘାଟି ଯେତେବେଳେ ରାସ୍ତାରୁ ବଞ୍ଚିତ ଥିଲା ସେତେବେଳେ ଲାମା ୨୦୧୪ରେ ପ୍ରଥମେ ଏଥିପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ ତାଙ୍କର ଜମି ଓ ସମ୍ପତ୍ତି ମଧ୍ୟ ବିକିବାକୁ ପଡ଼ିଥିଲା । ଆରମ୍ଭରେ ଲୋକେ ଲାମାଙ୍କର କାମକୁ ଥଟ୍ଟା ମଜା କରୁଥିଲେ । ହେଲେ ଯେତେବେଳେ ଲାମା ନିଜର ସୀମିତ ସମ୍ବଳ ଭିତରେ ଦାରଚା ରୁ ଶଂକୁଳା ପର୍ଯ୍ୟନ୍ତ ରାସ୍ତା ତିଆରି କରିଦେଲେ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଲାମା ତାଙ୍କ କାର୍ଯ୍ୟରେ ଅନବରତ ଲାଗି କରି ଜଂସ୍କାର ପର୍ଯ୍ୟନ୍ତ କାମ ଜାରି ରଖିଲେ ।

ଲାହୁଲ-ସ୍ପିତି ପ୍ରଶାସନ ୨୦୧୬ରେ ଲାମାଙ୍କୁ ସମ୍ମାନିତ କରିଛନ୍ତି :

ଲାହୁଲ ସ୍ପିତି ପ୍ରଶାସନ ୧୫ ଅଗଷ୍ଟ ୨୦୧୬ରେ ଲାମାଙ୍କୁ ସମ୍ମାନିତ କରିଥିଲେ । ୨୦୧୬ରେ ବିଆର୍‌ଓ କମାଣ୍ଡର କର୍ନଲ କେପି ରାଜେନ୍ଦ୍ର ଲାମାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି । ଏହି କର୍ମଯୋଗୀଙ୍କୁ ଜନଜାତିଙ୍କ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଯୋଗୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।

୫୭ ଲକ୍ଷ ଟଙ୍କାରେ କିଣିଥିଲେ ମେସିନ୍‌ :

ଲାମା ନିଜର ସମ୍ପତ୍ତି ବିକି କରି ରାସ୍ତା ପାଇଁ ମେସିନ୍‌ ମଧ୍ୟ କିଣିଥିଲେ । ଯାହା ଯୋଗୁ ସେ କାରଗିଲ୍‌ ଜିଲ୍ଲାର ଜଂସ୍କାର ଠାରୁ କରଗ୍ୟା ଗ୍ରାମ ହିମାଚଳ ପ୍ରଦେଶ ସୀମା ଯାଏ ସଡ଼କ ନିର୍ମାଣ ପାଇଁ ସାହସ ବାନ୍ଧି ଥିଲେ । ଲାମା କୁହନ୍ତି ଏହି ରାସ୍ତା ନିର୍ମାଣ ମୋର ସ୍ୱପ୍ନ ଥିଲା ଯାହାକି ତାଙ୍କୁ ପରିଚୟ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.