ପୋଲିସ ସାଜିଲା ଦେବଦୂତ , ପ୍ଲାଟଫର୍ମରେ ବେଡସିଟ୍ ଟାଣି ଗର୍ଭବତୀ ମହିଳାଙ୍କର କରାଇଲେ ପ୍ରସବ

ମୁମ୍ବାଇ : ପୋଲିସ ସାଜିଲା ଦେବଦୂତ। ଆଜିକାଲି ପରିସ୍ଥିତିକୁ ନଜରରେ ରଖିଲେ ଗୋଟିଏ ପଟେ ଏବେ ପୋଲିସ ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଉଥିବା ବେଳେ ମୁମ୍ବାଇ ପୋଲିସ ଏମିତି ଏକ କାମ କରିଛି ଯେଉଁଥିପାଇଁ ଛୁଟୁଛି ପ୍ରଂଶସାର ସୁଅ । ଏଭଳି ଏକ ମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ଦାଦର ରେଳୱେ ଷ୍ଟେସନରେ । ସେଠାରେ ଥିବା ଜଣେ ମହିଳା ଯାତ୍ରୀ ଗର୍ଭବତୀ ଥିବାରୁ ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ପାଖରେ ମହିଳାଙ୍କର ସ୍ବାମୀ ଥିବା ସତ୍ବେ ମହିଳାଙ୍କର ଏଭଳି ଅବସ୍ଥା ହୋଇଯାଇଥିଲା କି ସେଠାରୁ ତାଙ୍କୁ ଗାଡିରେ ଉଠାଇକି ନେବା ଅସମ୍ଭବ ହୋଇପଡିଥିଲା । ଏନେଇ ମୁମ୍ବାଇ ପୋଲିସକୁ ଖବର ମିଳିବା ପରେ ସେଠାରେ ଦେବଦୂତ ଭାବେ ଉଭା ହୋଇଥିଲେ ମୁମ୍ବାଇ ପୋଲିସ ।

mumbai-policeରାତି ପ୍ରାୟ ୧ଟା ୫୦ ମିନିଟ ସମୟରେ ପ୍ଲାଟଫର୍ମରେ ପହଞ୍ଚିଥିଲେ ମୁମ୍ବାଇ ପୋଲିସର ୩ ଜଣ କର୍ମଚାରୀ । ଦୁଇ ଜଣ ମହିଳା ଓ ଜଣେ ପୋଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ବେଡସିଟ୍ ଆଣି ପ୍ଲାଟଫର୍ମରେ ହିଁ ମହିଳାଙ୍କ ପ୍ରସବ ପାଇଁ ସ୍ଥାନ ତିଆରି କରିଥିଲେ । ସେଠାରେ ଉପସ୍ଥିତ ଥିବା ଆଉ କିଛି ମହିଳା ମଧ୍ୟ ପୋଲିସକୁ ଏହି କାମରେ ସହାୟତା କରିଥିଲେ । ଆଉ ଏହାଭିତରେ ନିକଟସ୍ଥ ହସ୍ପିଟାଲକୁ ସୂଚନା ଦେଇଥିଲା ପୋଲିସ । ପରେ ଘଟଣାସ୍ଥଳରେ ଜଣେ ନର୍ସ ପହଞ୍ଚି ମହିଳାଙ୍କର ପ୍ରସବ କରାଇ ହସ୍ପିଟାଲକୁ ନେଇଯାଇଥିଲେ । ଉଭୟ ମା ଓ ଶିଶୁ ଏବେ ସୁସ୍ଥ ଥିବା ଜଣାପଡିଛି । ତେବେ ଏହି ଘଟଣା ପ୍ରଚାର ହେବା ପରେ ମୁମ୍ବାଇ ପୋଲିସର ଏଭଳି କାର‌୍ୟ୍ୟକୁ ଚାରିଆଡେ ସଲାମ କରୁଛନ୍ତି ଜନତା ।

Leave A Reply

Your email address will not be published.